FeaturedLatestNews

ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଆଉ ୨ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଦରଦାମ ବୃଦ୍ଧି ଓ ପେଟ୍ରୋଲ ସମସ୍ୟା ଭିତରେ ଓଡ଼ିଶା ସରକାର ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ୨ ପ୍ରତିଶତ ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଫଳରେ ସମୁଦାୟ ମହଙ୍ଗା ଭତ୍ତା ୫୮ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ପେନସନ୍‌ଭୋଗୀଙ୍କ ଟିଆଇ (TI)ରେ ମଧ୍ୟ ବୃଦ୍ଧି ହୋଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ପାଇଁ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ୨୦୨୬ ଜାନୁଆରୀ ପହିଲାରୁ ପିଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମେ’ ମାସ ଦରମାରେ ନଗଦ ଆକାରରେ ମିଳିବ। ଏହା ସହିତ ପେନସନ୍‌ଭୋଗୀମାନଙ୍କ ଟିଆଇରେ ମଧ୍ୟ ୨ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ମେ’ ମାସ ପେନସନ୍‌ରେ ଏହି ବର୍ଦ୍ଧିତ ଟିଆଇ ପାଇବେ। ଏହା ଦ୍ୱାରା ରାଜ୍ୟର ପ୍ରାୟ ୮.୫ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନ୍‌ଭୋଗୀ ଉପକୃତ ହେବେ।

ସରକାରୀ ନିଯୁକ୍ତିରେ ଥିବା କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଓ ପେନସନ୍‌ଭୋଗୀଙ୍କୁ ଟିଆଇ, କେନ୍ଦ୍ର ଓ ରାଜ୍ୟର ସରକାର ପ୍ରଦାନ କରିଥାନ୍ତି। ସାଧାରଣତଃ ବର୍ଷକୁ ଦୁଇ ଥର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଥାଏ। ପ୍ରଥମେ କେନ୍ଦ୍ର ସରକାର ବଢ଼ାନ୍ତି। ଏହା ପରେ ପରେ ରାଜ୍ୟ ସରକାରମାନେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଥାନ୍ତି। ପ୍ରତିବର୍ଷ ଜାନୁଆରୀ ୧ ଓ ଜୁଲାଇ ୧ରେ ମହଙ୍ଗା ଭତ୍ତା ବୃଦ୍ଧିର ବ୍ୟବସ୍ଥା ରହିଛି। କିନ୍ତୁ ସରକାର ନିଜ ରାଜ୍ୟର ଆର୍ଥିକ ସ୍ଥିତି ଓ ପରିଚାଳନାକୁ ଦୃଷ୍ଟିରେ ରଖି ମହଙ୍ଗା ଭତ୍ତା ପ୍ରଦାନ କରିଥାଆନ୍ତି।

ଓଡ଼ିଶା ସରକାର ନୂଆ ଆର୍ଥିକ ବର୍ଷ ଆରମ୍ଭ ବା ଓଡ଼ିଆ ନୂଆବର୍ଷ ଏପ୍ରିଲ ମାସ ଓ ଦୀପାବଳିରେ ମହଙ୍ଗା ଭତ୍ତା ପ୍ରଦାନ କରୁଥିବାର ନଜିର ରହିଛି। ଗତ ଦୀପାବଳିରେ ମୋହନ ସରକାରୀ କର୍ମଚାରୀଙ୍କୁ ଦୀପାବଳି ଉପହାର ଦେଇଥିଲେ। କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ହୋଇଥିଲା।