FeaturedLatestNews

ଓଲଟିଲା ଟୁରିଷ୍ଟ ବସ୍, ୫ ମୃତ, ୩୦ରୁ ଊର୍ଦ୍ଧ୍ବ ଆହତ

ନୟାଗଡ଼ (ସଂକେତ ଟିଭି): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପୀଠାଖାଇ ଘାଟି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ‘ମା’ ସିଂହେଶ୍ୱରୀ ନାମକ ଏକ ଟୁରିଷ୍ଟ ବସ୍ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ମୃତାହତ ବ୍ରହ୍ମପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବସଟି ୫୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ବଲାଙ୍ଗିର ହରିଶଙ୍କର ଅଭିମୁଖେ ଯାଉଥିଲା। ଦୁର୍ଘଟଣା ସ୍ଥଳୀରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ୭ ଜଣଙ୍କର ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ମୃତକମାନେ ହେଲେ ଡ୍ରାଇଭର ପ୍ରବୀଣ କୁମାର ସାହୁ, ହରି ପାତ୍ର, ଲକ୍ଷ୍ମୀ ପାତ୍ର, ସୁପ୍ରଭା ସାହୁ ଓ ସୁମନ୍ତୀ ସାହୁ। ଅଶୋକ ନଗର ନିବାସୀ ସନ୍ତୋଷ ପାତ୍ରଙ୍କ ବାପା ଓ ମାଆଙ୍କ ମଧ୍ୟ ଏହି ଦୁର୍ଘଟଣାରେ ଜୀବନ ଯାଇଛି। ସୁମନ୍ତୀ ସାହୁ ଦୁଇଟି ଛୋଟ ପିଲାଙ୍କୁ ମାଆଙ୍କ ଛତ୍ରଛାୟାରୁ ବଞ୍ଚିତ କରି ଚାଲିଯାଇଛନ୍ତି।

ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ସମ୍ବଲପୁର ପରମାନପୁରରେ ବାଇକ ସହ ଧକ୍କା ହେବାରୁ ଅଟୋ ଓଲଟି ୧୦ ଜଣ ଆହତ ହୋଇଥିଲେ। ସେଠାରେ ମଧ୍ୟ ୪ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜଣଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା।