FeaturedLatestNews

ଗ୍ୟାସ୍ ଭାଳେଣି: ବୁକିଂ ଓ ଓଟିପି ସତ୍ତ୍ୱେ ଡେଲିଭରି ନାହିଁ

ଭୁବନେଶ୍ୱର (ସଂକେତ ଟିଭି): ରାଜଧାନୀରେ ଗ୍ୟାସ୍ ସଂକଟ ଏକ ଗମ୍ଭୀର ରୂପ ଧାରଣ କରିଛି। ସାଧାରଣ ଗ୍ରାହକମାନେ ବୁକିଂ କରିବା ପରେ ଓଟିପି ଆସୁଥିଲେ ମଧ୍ୟ ସିଲିଣ୍ଡର ଡେଲିଭରି ନମିଳିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାକୁ ନେଇ ରାଜଧାନୀର ଏକ ଗ୍ୟାସ୍ ଏଜେନ୍ସି ଆଗରେ ଶତାଧିକ ଗ୍ରାହକ ଧାରଣାରେ ବସିଥିଲେ।

ଗ୍ରାହକମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ଗ୍ୟାସ୍ ବୁକିଂ କରିବା ପରେ କିଛି ଦିନ ମଧ୍ୟରେ ଡେଲିଭରି ପାଇଁ ଓଟିପି ଆସିଥିଲା, କିନ୍ତୁ ଏଜେନ୍ସି ପକ୍ଷରୁ ସିଲିଣ୍ଡର ପହଞ୍ଚାଯାଉନାହିଁ। ଏଜେନ୍ସିର କର୍ମଚାରୀମାନେ ଗ୍ୟାସ୍ ଟାଙ୍କି ନଥିବା କଥା କହି ଗ୍ରାହକଙ୍କୁ ଫେରାଇ ଦେଉଛନ୍ତି। ଏହାକୁ ନେଇ ଗ୍ରାହକମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ଯଦି ଏଜେନ୍ସି ପାଖରେ ଗ୍ୟାସ୍ ନାହିଁ, ତେବେ ସିଲିଣ୍ଡର ଭର୍ତ୍ତି ପାଇଁ ଓଟିପି କିପରି ଆସିପାରିବ?

ଅନ୍ୟପଟେ, ଏହି ସମସ୍ତ ସିଲିଣ୍ଡରକୁ ଏଜେନ୍ସିମାନେ ବ୍ଲାକ୍ ମାର୍କେଟରେ ବିକ୍ରି କରୁଥିବା ନେଇ ଗ୍ରାହକଙ୍କ ମଧ୍ୟରେ ଅଭିଯୋଗ ହେଉଛି। ଏହି ଗ୍ୟାସ୍ ସଂକଟ ନେଇ ଏଜେନ୍ସି ପକ୍ଷରୁ କୌଣସି ସ୍ପଷ୍ଟ ବ୍ୟାଖ୍ୟା ମିଳିପାରିନାହିଁ।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସାରା ଦେଶରେ ଗ୍ୟାସ୍ ସଂକଟ ଦେଖାଦେଇଥିବାବେଳେ ଏହି ସମସ୍ୟାର ସମାଧାନ ପାଇଁ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ୯ ରାଜ୍ୟର ଯୋଗାଣ ମନ୍ତ୍ରୀ ଯୋଗ ଦେଇଛନ୍ତି। ଓଡ଼ିଶା ପକ୍ଷରୁ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଏହି ବୈଠକରେ ସାମିଲ ହୋଇ ରାଜ୍ୟର ଗ୍ୟାସ୍ ସଂକଟ ନେଇ ଆଲୋଚନା କରୁଛନ୍ତି।