FeaturedLatestNews

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ୍ ନୁହେଁ, ସାମୟିକ ସ୍ଥଗିତ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ରାଜ୍ୟ ସରକାର ପ୍ରତିକ୍ରିୟା ରଖିଛନ୍ତି। ଏହି ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ ମେଟ୍ରୋ ପ୍ରକଳ୍ପ ବନ୍ଦ ହୋଇନାହିଁ। ସେ କହିଛନ୍ତି, “ମେଟ୍ରୋ ପ୍ରକଳ୍ପ ବାତିଲ ହୋଇନି, ବରଂ ସାମୟିକ ସ୍ଥଗିତ ରହିଛି। ଭୁବନେଶ୍ୱର ମେଟ୍ରୋ କର୍ପୋରେସନ ବନ୍ଦ ହୋଇନି, ତାଙ୍କ ଅଫିସ ଚାଲୁ ରହିଛି। ମେଟ୍ରୋ ହେବନି ବୋଲି ମୁଖ୍ୟମନ୍ତ୍ରୀ କେଉଁଠି ମନା କରି ନାହାନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ ବିଚାରାଧୀନ ରହିଛି।”

ପ୍ରକଳ୍ପଟି ଯେଉଁ ଭଳି ଥିଲା, ତାହା ବ୍ୟବହାରୋପଯୋଗୀ (ଭାଏବୁଲ) ନଥିଲା ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ପରୀକ୍ଷଣ ସମୟରେ ଲୋକେ ଯିବାଆସିବା କରିପାରିନଥିବା ସମସ୍ୟା ଦେଖାଦେଇଥିଲା। ଦୀର୍ଘ ସମୟ ଧରି କାମ ଚାଲିଥାନ୍ତେ ପରିସ୍ଥିତି କ’ଣ ହୋଇଥାନ୍ତା, ସେଥିପାଇଁ ବିକଳ୍ପ ଭାବରେ ବାଇପାସ ରାସ୍ତାର ବ୍ୟବସ୍ଥା ମଧ୍ୟ କରାଯାଉଛି।

ଆଜି ନହେଲେ କାଲି ଭୁବନେଶ୍ୱରକୁ ମେଟ୍ରୋର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଏନେଇ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। କେଉଁ ଉପାୟରେ ପ୍ରକଳ୍ପଟି କାର୍ଯ୍ୟକାରୀ ହୋଇପାରିବ, ତାହାର ଅନୁଧ୍ୟାନ କରାଯାଉଛି। ଏବେ ଯାହା ହେବ, କେନ୍ଦ୍ର ସରକାରଙ୍କ ସହଯୋଗ ଓ ସହଭାଗୀତାରେ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହାପୂର୍ବରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଏହି ପ୍ରକଳ୍ପ ଉପରେ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ। ଭୁବନେଶ୍ୱରର ବଢୁଥିବା ଜନସଂଖ୍ୟା ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ଅତ୍ୟନ୍ତ ଜରୁରୀ ବୋଲି ସେ ମତ ଦେଇଥିଲେ।