ଶ୍ରୀନଗର ବିମାନବନ୍ଦରରେ ଦୁଇ ଆମେରିକୀୟ ଅଟକ, ମିଳିଲା ସାଟେଲାଇଟ୍ ଫୋନ୍
ଶ୍ରୀନଗର(ସଂକେତ ଟିଭି): ଜମ୍ମୁକାଶ୍ମୀରର ଶ୍ରୀନଗର ବିମାନବନ୍ଦରରେ ଦୁଇ ଜଣ ଆମେରିକୀୟ ନାଗରିକଙ୍କୁ ଅଟକ ରଖାଯାଇଛି। ସୁରକ୍ଷା ଯାଞ୍ଚ ସମୟରେ ସେମାନଙ୍କ ପାଖରୁ ଏକ ସାଟେଲାଇଟ୍ ଫୋନ୍ ଜବତ ହୋଇଛି।
ପୋଲିସ ସୂତ୍ର ଅନୁଯାୟୀ, ଯେଉଁ ଆମେରିକୀୟଙ୍କ ପାଖରୁ ସାଟେଲାଇଟ୍ ଫୋନ୍ ମିଳିଛି, ତାଙ୍କ ନାଁ ଜେଫ୍ରି ସ୍କଟ୍। ସେ ଆମେରିକାର ମୋଣ୍ଟାନା ରାଜ୍ୟରୁ ଆସିଥିବା କୁହାଯାଉଛି। ଏହି ସାଟେଲାଇଟ୍ ଫୋନ୍ ‘ଗାର୍ମିନ୍’ ନାମକ ଏକ ଜଣାଶୁଣା କମ୍ପାନୀର ବୋଲି ଜଣାପଡ଼ିଛି।
ବିମାନବନ୍ଦରରେ ନିୟମିତ ସୁରକ୍ଷା ଯାଞ୍ଚ ସମୟରେ ଉଭୟଙ୍କ ଲଗେଜ୍ ସ୍କାନ୍ କରାଯାଇଥିଲା। ସ୍କଟ୍ଙ୍କ ବ୍ୟାଗରୁ ସାଟେଲାଇଟ୍ ଫୋନ୍ ମିଳିବା ମାତ୍ରେ ଉଭୟ ଆମେରିକୀୟଙ୍କୁ ଅଟକ ରଖାଯାଇଥିଲା। ଏୟାରପୋର୍ଟ ସୁରକ୍ଷା କର୍ମୀ ସେମାନଙ୍କୁ ପଚରାଉଚରା କରିବା ପରେ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଛନ୍ତି।
ଉଲ୍ଲେଖନୀୟ ଯେ, ଭାରତରେ ସାଟେଲାଇଟ୍ ଫୋନ୍ ବ୍ୟବହାର ବେଆଇନ୍। ଏହା ପ୍ରଥମ ଘଟଣା ନୁହେଁ; ପୂର୍ବରୁ ମଧ୍ୟ ଅନେକ ଥର ଆମେରିକୀୟ ନାଗରିକ ଏଭଳି ଫୋନ୍ ସହ ଧରାପଡ଼ିଛନ୍ତି। ଅନେକ ସମୟରେ ଆମେରିକୀୟ ନାଗରିକ ଏନେଇ ନଜାଣି ସାଟେଲାଇଟ୍ ଫୋନ୍ ସାଥିରେ ନେଇଆସନ୍ତି। ପୋଲିସ ଏବେ ସେମାନଙ୍କୁ ପଚରାଉଚରା କରୁଛି, ଯାହାଫଳରେ ପ୍ରକୃତ ସ୍ଥିତି ସ୍ପଷ୍ଟ ହୋଇପାରିବ।
