BusinessFeaturedLatestNews

୩୦୦୦ କୋଟି ଟଙ୍କାର ସେମିକଣ୍ଡକ୍ଟର ୟୁନିଟର ଶିଳାନ୍ୟାସ

ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଖୋର୍ଦ୍ଧା ଜିଲ୍ଲାର ଇନ୍ଫୋ ଭ୍ୟାଲିରେ ପ୍ରତିଷ୍ଠିତ ସେମିକଣ୍ଡକ୍ଟର ସଂସ୍ଥା 3D Glass Solution ର ଅତ୍ୟାଧୁନିକ ଗ୍ଲାସ୍ ସବ୍‌ଷ୍ଟ୍ରେଟ୍ ପ୍ୟାକେଜିଂ ୟୁନିଟ୍ ପାଇଁ ଶିଳାନ୍ୟାସ କରିଛନ୍ତି। ପ୍ରାୟ ୨ ହଜାର କୋଟି ଟଙ୍କା ନିବେଶରେ ସ୍ଥାପିତ ଏହି ପ୍ରକଳ୍ପ ବାର୍ଷିକ ୭୦ ହଜାର ଗ୍ଲାସ୍ ପ୍ୟାନେଲ, ୫୦ ମିଲିୟନ ଆସେମ୍ବଲ୍ଡ ୟୁନିଟ୍ ଓ ୧୩,୨୦୦ ଅତ୍ୟାଧୁନିକ 3DHI ମଡ୍ୟୁଲ୍ ଉତ୍ପାଦନ କରିବ। ଏହାଦ୍ୱାରା ରାଜ୍ୟରେ ପ୍ରାୟ ୨,୫୦୦ ନିଯୁକ୍ତି ସୃଷ୍ଟି ହେବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଓଡ଼ିଶାରେ ଶିଳ୍ପ ଓ ରୋଜଗାର ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରଶଂସା କରି କହିଛନ୍ତି ଯେ ଓଡ଼ିଶା ପାଇଁ ଏକ ନୂତନ ବିକାଶ ଯୁଗର ଆରମ୍ଭ ହୋଇଛି। ସେ କହିଲେ, “ଏହି 3D ଗ୍ଲାସ୍ ସବ୍ଷ୍ଟ୍ରେଟ୍ ପ୍ୟାକେଜିଂ ୟୁନିଟ୍ର ଉତ୍ପାଦ ଦେଶରେ ପ୍ରଥମ ଏବଂ ଏହା ଓଡ଼ିଶାରେ ପ୍ରସ୍ତୁତ ହେବ। ଏହି ଟେକ୍ନୋଲୋଜି ସେମିକଣ୍ଡକ୍ଟର ଶିଳ୍ପର ଭବିଷ୍ୟତ ହେବ।”

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ ଯେ ଏହା କେବଳ ଓଡ଼ିଶା ପାଇଁ ନୁହେଁ, ଭାରତର ଟେକ୍ନୋଲୋଜିକାଲ ଲିଡରସିପ୍ ଯାତ୍ରା ପାଇଁ ମଧ୍ୟ ଏକ ସ୍ମରଣୀୟ ମୁହୂର୍ତ୍ତ। ଏହି ୟୁନିଟ୍ର କମ୍ପୋନେଣ୍ଟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ହାଇ ପର୍ଫର୍ମାନ୍ସ କମ୍ପ୍ୟୁଟିଂ ଓ ପ୍ରତିରକ୍ଷା ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। Intel, Lockheed Martin ଓ Applied Materials ଭଳି ବିଶ୍ୱସ୍ତରୀୟ ସଂସ୍ଥା 3D Glass Solution ସହ ଯୋଡ଼ି ହୋଇଥିବା ଓଡ଼ିଶା ପ୍ରତି ବିଶ୍ୱର ବଢୁଥିବା ଭରସାର ପ୍ରମାଣ।

ଓଡ଼ିଶା କାହିଁକି ନିବେଶକଙ୍କ ପ୍ରଥମ ପସନ୍ଦ: ମୁଖ୍ୟମନ୍ତ୍ରୀ ପାଞ୍ଚଟି କାରଣ ଉଲ୍ଲେଖ କରିଥିଲେ – ବିପୁଳ ପ୍ରାକୃତିକ ସମ୍ବଳ, ବିଶ୍ୱସ୍ତରୀୟ ଭିତ୍ତିଭୂମି, ଦକ୍ଷ ଯୁବଶକ୍ତି, ଶକ୍ତିଶାଳୀ କନେକ୍ଟିଭିଟି ଏବଂ ରେସ୍ପନସିଭ୍ ଗଭର୍ଣ୍ଣାନ୍ସ। ସେ ଯୁବପିଢ଼ୀଙ୍କୁ ଆହ୍ୱାନ ଦେଇ କହିଲେ, “ଏହା ଓଡ଼ିଶାର ଛାତ୍ରଛାତ୍ରୀ ଓ ଇଞ୍ଜିନିୟରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନିଜକୁ ଦକ୍ଷ କରି ଏହି ଉଦୀୟମାନ କ୍ଷେତ୍ରରେ ଅଗ୍ରସର ହୁଅ। ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ‘Odisha is your destination’ ।”

ସୂଚନାଯୋଗ୍ୟ, ଓଡ଼ିଶାରେ ସେମିକଣ୍ଡକ୍ଟର କ୍ଷେତ୍ରରେ ଏପର୍ଯ୍ୟନ୍ତ ୧୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ଆସିସାରିଛି। RIR Power Electronics ଓ SiCSEM ଭଳି ସଂସ୍ଥା ପୂର୍ବରୁ ରାଜ୍ୟରେ ୟୁନିଟ୍ ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଭିଜନରେ ଓଡ଼ିଶା ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ ଏବଂ ପୂର୍ବ ଭାରତର ଲଞ୍ଚପ୍ୟାଡ୍ ହେବ।

କାର୍ଯ୍ୟକ୍ରମରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ଶାସନ ସଚିବ ଅମିତେଶ ସିନ୍ହା ଓ 3D Glass Solutionର ପ୍ରେସିଡେଣ୍ଟ୍ ଶ୍ରୀ ବାବୁ ମନ୍ଦାବାଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।