FeaturedLatestNews

ଜନଗଣନା କାର୍ଯ୍ୟ ପାଇଁ ଯାଇଥିବା ଶିକ୍ଷୟିତ୍ରୀ ନିଖୋଜ

ବାରିପଦା (ସଂକେତ ଟିଭି): ବାରିପଦା ସଦର ଥାନା ଅନ୍ତର୍ଗତ ଧାନ୍ୟଡିହି ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀ ନିଖୋଜ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଜନଗଣନା କାର୍ଯ୍ୟ ପାଇଁ ଯାଇଥିବା ବେଳେ ସେ ଆଉ ଘରକୁ ଫେରିନଥିବା ଜଣାପଡ଼ିଛି ।

ନିଖୋଜ ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ଜ୍ୟୋତ୍ସ୍ନାରାଣୀ ସାହୁ (୩୦) । ସେ ଢେଙ୍କିନେଞ୍ଜିଆ ସରକାରୀ ୟୁପି ସ୍କୁଲରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ । ଜ୍ୟୋତ୍ସ୍ନାରାଣୀଙ୍କ ଘର ପୁରୀ ଜିଲ୍ଲାରେ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗତ ଏପ୍ରିଲ ୧୬ ତାରିଖରୁ ଜ୍ୟୋତ୍ସ୍ନାରାଣୀ, ଜନଗଣନା-୨୦୨୬ କାର୍ଯ୍ୟରେ ନିୟୋଜିତ ଥିଲେ । ଗତ ୧୮ ତାରିଖ (ଶନିବାର) ସକାଳ ପ୍ରାୟ ୭ଟା ସମୟରେ ସେ ସ୍କୁଲକୁ ଯାଇଥିଲେ ଏବଂ ସେଠାରୁ ଜନଗଣନା କାର୍ଯ୍ୟ ପାଇଁ କ୍ଷେତ୍ର ପରିଦର୍ଶନରେ ବାହାରିଥିଲେ । ତେବେ ମଧ୍ୟାହ୍ନ ପ୍ରାୟ ୧୨ଟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ସେପଟେ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଥିବା ଜଣାପଡ଼ିଥିଲା ।

ଜ୍ୟୋତ୍ସ୍ନାରାଣୀ ନିଖୋଜ ଥିବା ଜାଣିବା ପରେ ଶିକ୍ଷୟିତ୍ରୀ ଜଣଙ୍କ ରହୁଥିବା ଭଡ଼ା ଘର ମାଲିକ ସୁରେଶ ଚନ୍ଦ୍ର ସି, ଏନେଇ ବାରିପଦା ସଦର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଭଡ଼ା ଘରର ମାଲିକ ଦର୍ଶାଇଛନ୍ତି ଯେ, ସ୍ଥାନୀୟ ଅଞ୍ଚଳରେ ଜନଗଣନା କାର୍ଯ୍ୟ ହେଉଥିବା ନିକଟସ୍ଥ ଗାଁ ଗୁଡ଼ିକରେ ବହୁ ଖୋଜାଖୋଜି ପରେ ମଧ୍ୟ ଜ୍ୟୋତ୍ସ୍ନାରାଣୀଙ୍କର ଏଯାଏଁ କୌଣସି ପତ୍ତା ମିଳିନାହିଁ ।

ସେପଟେ ଏହି ଘଟଣାରେ ପୋଲିସ ଜ୍ୟୋତ୍ସ୍ନାରାଣୀଙ୍କୁ ଯଥାଶୀଘ୍ର ଉଦ୍ଧାର କରୁ ବୋଲି ପରିବାର ଲୋକେ ପୋଲିସକୁ ନିବେଦନ କରିଛନ୍ତି । ବାରିପଦା ସଦର ପୋଲିସ ଷ୍ଟେସନ ଡାଏରୀ ଏଣ୍ଟ୍ରି କରି ଖୋଜାଖୋଜି ଜାରି ରଖିଛି । ଯଦି କୌଣସି ବ୍ୟକ୍ତିବିଶେଷ ଜ୍ୟୋତ୍ସ୍ନାରାଣୀଙ୍କ ବିଷୟରେ ସୂଚନା ପାଆନ୍ତି, ତେବେ ପୋଲିସ କିମ୍ବା ପରିବାର ସଦସ୍ୟଙ୍କ ନମ୍ବର (୮୮୪୭୮୯୪୨୩୦)ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।