FeaturedLatestNews

ଆରଟିଓ ଚାଲାଣ ନାଁ ଠକେଇ କରୁଥିବା ୪ ଜଣିଆ ସାଇବର ଠକ ଗ୍ୟାଙ୍ଗ ଗିରଫ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ପୋଲିସ RTO ଚାଲାଣ ନାଁରେ ଠକେଇ କରୁଥିବା ଏକ ୪ ଜଣିଆ ସାଇବର ଠକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗର ଜଣେ ରାଜ୍ୟ ବାହାରର ଠକ ମଧ୍ୟ ପୋଲିସ ହାତରେ ଧରାପଡ଼ିଛି। ଠକେଇ ଘଟଣାରେ ଜାମତରା (ଝାରଖଣ୍ଡ)ର ଲିଙ୍କ୍ ରହିଥିବା ପୋଲିସ ଜାଣିବାକୁ ପାଇଛି।

ଏହି ଗ୍ୟାଙ୍ଗର ସଦସ୍ୟମାନେ ଲୋକଙ୍କୁ APK ଲିଙ୍କ୍ ପଠାଇ ଗୋଟିଏ କ୍ଲିକ୍ରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଉଥିଲେ। ଝାରଖଣ୍ଡର ଅଭିଯୁକ୍ତ ମୁକେଶ ତୁରୀ ଏହି APK ଲିଙ୍କ୍ ପଠାଉଥିଲା। ତା’ପରେ ଅନ୍ୟ ଅଭିଯୁକ୍ତ ମହମ୍ମଦ ଆବାସ, ମହମ୍ମଦ ସଲମାନ ଏବଂ ମହମ୍ମଦ ଅମୀର ଠକେଇର ଜାଲ ବିଛାଉଥିଲେ।

ଅଭିଯୁକ୍ତମାନେ ବିଭିନ୍ନ ଲୋକଙ୍କ ନାଁରେ ମ୍ୟୁଲ୍ ଆକାଉଣ୍ଟ ଖୋଲୁଥିଲେ ଏବଂ ପ୍ରତି ଜଣଙ୍କୁ ୬ ହଜାର ଟଙ୍କା କମିଶନ୍ ଦେଉଥିଲେ। ଅବଶିଷ୍ଟ ଟଙ୍କାକୁ ସେମାନେ ନିଜେ ଚଳୁ କରୁଥିଲେ। ମୟୂରଭଞ୍ଜର ଜଣେ ବ୍ୟବସାୟୀଙ୍କଠାରୁ ଏହି ରାକେଟ୍ ୭ ଲକ୍ଷ ଟଙ୍କା ଠକେଇ କରିଥିଲା। RTO ଚାଲାଣର ଭ୍ରମ ସୃଷ୍ଟି କରି ସେମାନେ ଲୋକଙ୍କୁ ପ୍ରତାରଣା କରୁଥିଲେ। ପୋଲିସ ଏହି ସାଇବର ଠକଙ୍କ କାରନାମା ନେଇ ଗୁମର ଖୋଲିଛି।