FeaturedLatestNews

୧୦ ଜଣ ବରିଷ୍ଠ ଆଇଏଏସ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ୧୦ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ (Electoral Roll Observer) ଭାବରେ ନିଯୁକ୍ତ କରିଛନ୍ତି। ଏହି ସଂଶୋଧନ ପ୍ରକ୍ରିୟା ପାଇଁ ୦୧.୦୭.୨୦୨୬ କୁ ଯୋଗ୍ୟତା ତାରିଖ ଭାବରେ ଧାର୍ଯ୍ୟ କରାଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ-ତଥା-ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଏହି ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି।

ପର୍ଯ୍ୟବେକ୍ଷକମାନଙ୍କୁ ମିଳିଥିବା ଜିଲ୍ଲା ଦାୟିତ୍ୱ:

  • ରାଜେଶ ପ୍ରଭାକର ପାଟିଲ, IAS (କମିଶନର ତଥା ସମବାୟ ବିଭାଗ ସଚିବ) – ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର
  • ଅରବିନ୍ଦ ଅଗ୍ରୱାଲ, IAS (କମିଶନର ତଥା ଉଚ୍ଚଶିକ୍ଷା ବିଭାଗ ସଚିବ) – ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ
  • ବଳବନ୍ତ ସିଂହ, IAS (କମିଶନର ତଥା ପର୍ଯ୍ୟଟନ ବିଭାଗ ସଚିବ) – କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା
  • ବି. ପରମେଶ୍ୱରନ, IAS (କମିଶନର ତଥା ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ସଚିବ) – ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ
  • ଡ. ବିଜୟ କେତନ ଉପାଧ୍ୟାୟ, IAS (ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ) – ଦେବଗଡ଼, ସମ୍ବଲପୁର, ବରଗଡ଼
  • ଡି. ପ୍ରସନ୍ନ କୁମାର ରେଡ୍ଡୀ, IAS (ପ୍ରବନ୍ଧ ନିର୍ଦ୍ଦେଶକ, IDCO) – ଗଞ୍ଜାମ, ଗଜପତି, ରାୟଗଡ଼ା
  • ସୁଧାଂଶୁ ମୋହନ ସାମଲ, IAS (ଆରଡିସି, କେନ୍ଦ୍ରାଞ୍ଚଳ) – କଟକ, ଢେଙ୍କାନାଳ, ଅନୁଗୋଳ
  • ରଶ୍ମିତା ପଣ୍ଡା, IAS (କମିଶନର ତଥା MSME ବିଭାଗ ସଚିବ) – ପୁରୀ, ଖୋର୍ଦ୍ଧା, ନୟାଗଡ଼, ଭୁବନେଶ୍ୱର
  • ମହମ୍ମଦ ସାଦିକ ଆଲମ, IAS (କମିଶନର ତଥା ସାଧାରଣ ଉଦ୍ୟୋଗ ବିଭାଗ ସଚିବ) – ନବରଙ୍ଗପୁର, କୋରାପୁଟ, ମାଲକାନଗିରି
  • ସଂଗ୍ରାମ କେଶରୀ ମହାପାତ୍ର, IAS (ଆରଡିସି, ଉତ୍ତରାଞ୍ଚଳ/ଦକ୍ଷିଣାଞ୍ଚଳ) – କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା

ଏହି ସମସ୍ତ ପର୍ଯ୍ୟବେକ୍ଷକ ଭୋଟର ତାଲିକା ସଂଶୋଧନ ଅବଧି ମଧ୍ୟରେ ନିଜ ନିଜ ଦାୟିତ୍ୱ ଜିଲ୍ଲାକୁ ଅତିକମରେ ୩ ଥର ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। ସେମାନେ କେବଳ ଜିଲ୍ଲା ମୁଖ୍ୟାଳୟରେ ସୀମିତ ନରହି, ବିଭିନ୍ନ ବିଧାନସଭା ମଣ୍ଡଳୀର ମତଦାନ କେନ୍ଦ୍ରଗୁଡ଼ିକୁ ନିଜେ ପରିଦର୍ଶନ କରିବେ। ଗସ୍ତ ସମୟରେ ସେମାନେ ସେହି ଅଞ୍ଚଳର ସାଂସଦ, ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ବୈଠକ କରି ସେମାନଙ୍କର ଅଭିଯୋଗ ଓ ସମସ୍ୟା ଶୁଣିବେ ଏବଂ ସଂଶୋଧନ ପ୍ରକ୍ରିୟାରେ ସହଯୋଗ ଲୋଡ଼ିବେ।

ଭୋଟର ତାଲିକା ସମ୍ବନ୍ଧୀୟ ଯେକୌଣସି ସମସ୍ୟା ବା ଅଭିଯୋଗ ପାଇଁ ସାଧାରଣ ଜନତାଙ୍କୁ ମଧ୍ୟ ପର୍ଯ୍ୟବେକ୍ଷକଙ୍କୁ ସାକ୍ଷାତ କରିବାର ସୁଯୋଗ ଦିଆଯିବ। ପର୍ଯ୍ୟବେକ୍ଷକମାନଙ୍କର ଗସ୍ତ ସୂଚୀ, ଟେଲିଫୋନ/ମୋବାଇଲ ନମ୍ବର ଇତ୍ୟାଦି ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ବ୍ୟାପକ ଭାବରେ ପ୍ରଚାର ଓ ପ୍ରସାର କରାଯିବ, ଯାହାଦ୍ୱାରା ସାଧାରଣ ଲୋକେ ସହଜରେ ଯୋଗାଯୋଗ କରିପାରିବେ।

ଯେଉଁ ବିଧାନସଭା ମଣ୍ଡଳୀଗୁଡ଼ିକରେ ଭୋଟରଙ୍କ ନାମ ବାଦ୍ ପଡ଼ିବା (Deletion) କିମ୍ବା ନୂଆ ନାମ ସଂଯୋଗ ହେବା (Addition) ର ହାର ଜିଲ୍ଲାର ହାରାହାରି ତୁଳନାରେ ୧%ରୁ ଅଧିକ ଥିବ କିମ୍ବା କୌଣସି ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀରେ ଏହା ୩%ରୁ ଅଧିକ ଥିବ, ସେଠାରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ଓ କାରଣକୁ ପର୍ଯ୍ୟବେକ୍ଷକମାନେ ବ୍ୟକ୍ତିଗତ ଭାବରେ ତୀକ୍ଷ୍ଣ ଯାଞ୍ଚ କରିବେ। କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା ପରେ ସମସ୍ତ ପର୍ଯ୍ୟବେକ୍ଷକ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଏକ ବିସ୍ତୃତ ରିପୋର୍ଟ ପଠାଇବେ।

ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ସମାପ୍ତ ପରେ ଚିଠା ଭୋଟର ତାଲିକା ଆସନ୍ତା ଜୁଲାଇ ୦୫ ତାରିଖରେ ପ୍ରକାଶ କରାଯିବ। ଚିଠା ଭୋଟର ତାଲିକା ପ୍ରକାଶ ପାଇଲା ପରେ କୌଣସି ପ୍ରକାରର ଆପତ୍ତି କିମ୍ବା ଅଭିଯୋଗ ଥିଲେ, ୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ମଧ୍ୟରେ ଆପତ୍ତି ଦାଖଲ କରାଯାଇପାରିବ। ୫ ଜୁଲାଇ ପରେ ଯଦି ଚିଠା ଭୋଟର ତାଲିକାରେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ, ତେବେ ଫର୍ମ-୬ (Form 6) ମାଧ୍ୟମରେ ନୂତନ ନାମ ଯୋଡ଼ିପାରିବେ, ଫର୍ମ-୭ (Form 7) ଦେଇ ଭୋଟର ତାଲିକାରୁ ନାମ ବାଦ୍ ଓ ଫର୍ମ-୮ (Form 8) ମାଧ୍ୟମରେ ଯେକୌଣସି ପ୍ରକାରର ସଂଶୋଧନ କରିପାରିବେ।

ଏହି ପ୍ରକ୍ରିୟା ଫଳରେ କେହି ଜଣେ ବି ଯୋଗ୍ୟ ଭୋଟର ତାଲିକାରୁ ବାଦ୍ ପଡ଼ିବେ ନାହିଁ ଓ ଅଯୋଗ୍ୟ ଭୋଟର ସାମିଲ ହେବେ ନାହିଁ ଏବଂ ସମସ୍ତ ପ୍ରକ୍ରିୟା ସ୍ୱଚ୍ଛତାର ସହିତ ହେବ ତା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଛନ୍ତି।