୬୭ ହଜାର କୋଟି ଟଙ୍କା ନିବେଶ ପାଇଁ ଓଡ଼ିଶା ଓ ଜାପାନ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ଏବେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ସବୁଜ ଅର୍ଥନୀତି (ଗ୍ରୀନ୍ ଇକୋନୋମି) ଦ୍ୱାରା ପରିଚାଳିତ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଜାପାନୀ ଶିଳ୍ପ ଓ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀଙ୍କ ସହ ଆୟୋଜିତ ଆଲୋଚନା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ମତ ରଖିଥିଲେ। ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗରେ ଓଡ଼ିଶାକୁ ଏକ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ ରେ ପରିଣତ କରାଯିବ ବୋଲି ସେ ଦୃଢ଼ୋକ୍ତି ଦେଇଥିଲେ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପୁଞ୍ଜିନିବେଶ, ବିଶେଷକରି ସବୁଜ ଅର୍ଥନୀତିର ଅଭିବୃଦ୍ଧି ନେଇ ଜାପାନୀ ପ୍ରତିନିଧିମାନଙ୍କ ସହ ଗଭୀର ଆଲୋଚନା କରିଥିଲେ। ଏହି ଅବସରରେ ରାଜ୍ୟ ସରକାର ACME ଗ୍ରୁପ୍ ଏବଂ IHI Corporation ସହିତ ଏକ ସହଯୋଗ ପତ୍ର (MoC) ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ଦ୍ୱାରା ଉକ୍ତ ଦୁଇ କମ୍ପାନୀ ଓଡ଼ିଶାରେ ସ୍ୱଚ୍ଛ ଶକ୍ତି ଏବଂ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପରେ ବ୍ୟାପକ ନିବେଶ କରିବାକୁ ଉଦ୍ୟମ କରିବେ। ଏହାଦ୍ୱାରା ଟେକ୍ନୋଲୋଜି ଟ୍ରାନ୍ସଫର, ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ଶିଳ୍ପାୟନ ସହିତ ଓଡ଼ିଶାରେ ବ୍ୟାପକ ନିଯୁକ୍ତି ଓ ଅର୍ଥନୈତିକ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।
ACME ଓ IHI ଓଡ଼ିଶାରେ ୩ଟି ବୃହତ ପ୍ରକଳ୍ପ ସ୍ଥାପନ କରିବାକୁ ସହଯୋଗର ହାତ ବଢ଼ାଇଛନ୍ତି। ଏହାର ସମୁଦାୟ ନିବେଶ ମୂଲ୍ୟ ପ୍ରାୟ ୬୭,୦୦୦ କୋଟି ଟଙ୍କା ହେବ ଏବଂ ଏଥିରୁ ୭,୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରଥମ ପ୍ରକଳ୍ପ ଭାବେ ଗୋପାଳପୁରରେ ୦.୪ MTPA କ୍ଷମତା ବିଶିଷ୍ଟ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ପ୍ରତିଷ୍ଠା କରାଯିବ, ଯେଉଁଥିରେ ୨୦,୦୦୦ କୋଟି ଟଙ୍କା ନିବେଶ ହେବ ଏବଂ ୩,୪୦୦ ନିଯୁକ୍ତି ସୃଷ୍ଟି ହେବ। ଏହି ପ୍ରକଳ୍ପ ଅଧୀନରେ ଅତିରିକ୍ତ ୧,୦୦୦ କୋଟି ଟଙ୍କା ବ୍ୟୟରେ ଏକ ଜେଟି ବିହୀନ ଫ୍ଲୋଟିଙ୍ଗ୍ ଟର୍ମିନାଲ୍ ଭିତ୍ତିଭୂମି ମଧ୍ୟ ସୃଷ୍ଟି କରାଯିବ।
ଦ୍ୱିତୀୟ ପ୍ରକଳ୍ପ ଭାବେ ପାରାଦୀପରେ ୩୪,୦୦୦ କୋଟି ଟଙ୍କା ବିନିଯୋଗରେ ୦.୮ MTPA କ୍ଷମତା ବିଶିଷ୍ଟ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ପ୍ରତିଷ୍ଠା କରାଯିବ, ଯାହାଦ୍ୱାରା ୩,୬୦୦ ନିଯୁକ୍ତି ସୃଷ୍ଟି ହେବ। ତୃତୀୟ ପ୍ରକଳ୍ପଟି ହେଉଛି ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ପାରାଦୀପରେ ୦.୧ MTPA କ୍ଷମତା ବିଶିଷ୍ଟ ଗ୍ରୀନ୍ ମିଥାନଲ୍ ପ୍ରକଳ୍ପ, ଯାହା ୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଦୂରଦୃଷ୍ଟି ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ଦେଶର ଅନ୍ୟତମ ବୃହତ୍ତମ ଗ୍ରୀନ୍ ହାଇଡ୍ରୋଜେନ୍ ଇକୋସିଷ୍ଟମ ପ୍ରତିଷ୍ଠା ନେଇ ରାଜ୍ୟ କାର୍ଯ୍ୟ କରୁଛି। ଗତକାଲି ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ୧୧ ବିଲିୟନ ଡଲାରର ଚୁକ୍ତି ପରେ ଆଜି ଦୂର ପ୍ରାଚ୍ୟ ବନ୍ଧୁ ଜାପାନ ସହିତ ହୋଇଥିବା ଏହି ସହଭାଗିତା ରାଜ୍ୟର ଶିଳ୍ପ କ୍ଷେତ୍ରକୁ ଆହୁରି ଉଜ୍ଜ୍ୱଳ କରିଛି ବୋଲି ସେ ପ୍ରକାଶ କରିଛନ୍ତି। ଓଡ଼ିଶା ବର୍ତ୍ତମାନ ସୁଦ୍ଧା ୧୨ଟି ପ୍ରମୁଖ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ଦେଇସାରିଛି, ଯାହାଦ୍ୱାରା ରାଜ୍ୟକୁ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ଆସିବା ସହ ୩୬ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ।
ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ ଦୁଇଟି ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି, ଯାହା ଭାରତର ‘ଇସ୍ପାତ ରାଜଧାନୀ’ ଓଡ଼ିଶାକୁ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ACME, IHI ଓ MITSUBISHI ଆଦି ଅନ୍ତର୍ଜାତୀୟ ସ୍ତରର କମ୍ପାନୀର ପ୍ରତିନିଧିମାନେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ IHI କର୍ପୋରେସନ୍କୁ ରାଜ୍ୟରେ ଏକ ‘ଜାପାନୀ ଗ୍ରୀନ୍ ଇଞ୍ଜିନିୟରିଂ ଏବଂ ଇନୋଭେସନ୍ ସେଣ୍ଟର’ ଏବଂ MITSUBISHI କର୍ପୋରେସନ୍କୁ ଗ୍ରୀନ୍ କେମିକାଲ୍ସ ଓ ସ୍ଥାୟୀ ଇନ୍ଧନ କ୍ଷେତ୍ରରେ ନିବେଶ ପାଇଁ ବିଶେଷ ଆମନ୍ତ୍ରଣ ଜଣାଇଥିଲେ। ଗତ ବର୍ଷ ଜାନୁଆରୀର ‘ଉତ୍କର୍ଷ ଓଡ଼ିଶା’ ପରଠାରୁ ରାଜ୍ୟରେ ଦ୍ୱିତୀୟ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି ଏବଂ ବିଗତ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶା ସରକାର ୧୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟର ୨୯ଟି ଜିଲ୍ଲାରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି ଏବଂ ଆଗାମୀ କିଛି ଦିନ ମଧ୍ୟରେ ସବୁ ଜିଲ୍ଲାରେ ଉଦ୍ୟୋଗ ପ୍ରତିଷ୍ଠା କରାଯାଇ ସମାବେଶୀ ଶିଳ୍ପାୟନର ଲକ୍ଷ୍ୟ ହାସଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଲୋଚନା ବେଳେ IHI କର୍ପୋରେସନ୍ର ପ୍ରେସିଡେଣ୍ଟ ଓ CEO ହିରୋଶି ଇଡେ ଓଡ଼ିଶାର ସବୁଜ ଶକ୍ତି ନୀତି ଏବଂ ପୁଞ୍ଜିନିବେଶ ପରିବେଶକୁ ଉଚ୍ଚ ପ୍ରଶଂସା କରିଥିଲେ। ଓଡ଼ିଶାରେ ଶକ୍ତି କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ସହଯୋଗ ଓ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ଶକ୍ତି ନୀତି ବେଶ୍ ପ୍ରଶଂସନୀୟ ବୋଲି ସେ କହିଥିଲେ। ଜାପାନ ପାଇଁ ସବୁଜ ଶକ୍ତି କ୍ଷେତ୍ରରେ ବୃହତ ପୁଞ୍ଜିନିବେଶ କରିବା ନିମନ୍ତେ ଓଡ଼ିଶା ଏକ ସର୍ବୋତ୍ତମ ଏବଂ ସୁଦୃଢ଼ ମାଧ୍ୟମ ସାଜିଛି ବୋଲି ସେ ମତ ଦେଇଥିଲେ।
ସେହିପରି ACME ଗ୍ରୁପ୍ର ଚେୟାରମ୍ୟାନ୍ ତଥା ମ୍ୟାନେଜିଂ ଡିରେକ୍ଟର ମନୋଜ କୁମାର ଉପାଧ୍ୟାୟ ଓଡ଼ିଶାର ଶିଳ୍ପାନୁକୂଳ ପରିବେଶକୁ ପୁଞ୍ଜିନିବେଶର ଶ୍ରେଷ୍ଠ ଗନ୍ତବ୍ୟସ୍ଥଳ ବୋଲି ଅଭିହିତ କରିଥିଲେ। ସବୁଜ ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ଓଡ଼ିଶା ସବୁଠାରୁ ଅନୁକୂଳ ଏବଂ ଆକର୍ଷଣୀୟ ସ୍ଥାନ ଭାବେ ଉଭା ହୋଇଛି। ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ଜାପାନର ଅଧିକ ନିକଟତର ହୋଇଥିବାରୁ ଏଠାରେ ଉତ୍ପାଦିତ ସବୁଜ ଶକ୍ତିକୁ ସହଜରେ ଜାପାନକୁ ରପ୍ତାନି କରାଯାଇପାରିବ ଏବଂ ଆଗାମୀ ଦିନରେ ଓଡ଼ିଶା ଜାପାନକୁ ଶକ୍ତି ରପ୍ତାନୀରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଜାପାନୀ ପ୍ରତିନିଧିମଣ୍ଡଳୀ, TRL କ୍ରୋସାକି, TYK କର୍ପୋରେସନ୍, ଇଣ୍ଡୋ ନିସିନ୍, ACME ଗ୍ରୁପ୍, IHI କର୍ପୋରେସନ୍ ଓ ମିତ୍ସୁବିଶିର ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ। ବିଶ୍ୱ ବ୍ୟାଙ୍କ, ଆନ୍ତର୍ଜାତୀୟ ଅର୍ଥ ନିଗମ (IFC) ଓ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ADB) ର ପ୍ରତିନିଧିମାନେ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଥିଲେ। ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ IPICOL ର ପରିଚାଳନା ନିର୍ଦ୍ଦେଶକ ଆବୋଲି ସୁନୀଲ ନରଭାଣେ ଧନ୍ୟବାଦ ଅର୍ପଣ କରିଥିଲେ।
