ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ(ସଂକେତ ଟିଭି): ସଂସଦର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଆଜି (ଶନିବାର) ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୫ ଦିନିଆ ଏହି ଅଧିବେଶନରେ ମୋଟ ୧୯ଟି ବୈଠକ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ଏହା ପ୍ରଥମ ସଂସଦ ଅଧିବେଶନ ହେବ।
ଆସନ୍ତା ଅଧିବେଶନରେ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ)ରେ ହୋଇଥିବା ବିଦ୍ରୋହର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ। ଟିଏମସିର ୨୦ ଜଣ ଏବଂ ଶିବସେନା (ୟୁବିଟି)ର ୬ ଜଣ ଲୋକସଭା ସାଂସଦ ସ୍ୱତନ୍ତ୍ର ଗୋଷ୍ଠୀ ଭାବେ ସ୍ୱୀକୃତି ପାଇଁ ଦାବି କରିଥିବାବେଳେ, ଏହା ଉପରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଉଛି। ବିପକ୍ଷ ଦଳଗୁଡ଼ିକର ଏହି ଆଭ୍ୟନ୍ତରୀଣ ବିଭାଜନ ସରକାରୀ ଦଳ ପାଇଁ ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରାଇବାରେ ସହାୟକ ହୋଇପାରେ।
ରାଜ୍ୟସଭାରେ ନବନିର୍ବାଚିତ ଓ ପୁନଃନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବା ପରେ ରାଜନୈତିକ ସମୀକରଣ ଅଧିକ ମାତ୍ରାରେ ଶାସକ ଏନଡିଏ ସପକ୍ଷରେ ଯାଇଛି। ଉଚ୍ଚ ସଦନର ଟିଏମସିର ତିନିଜଣ ବିଦ୍ରୋହୀ ସାଂସଦ ଇସ୍ତଫା ଦେଇଥିବାବେଳେ, ଉପନିର୍ବାଚନ ପରେ ରାଜ୍ୟସଭାରେ ବିଜେପିର ସଂଖ୍ୟାବଳ ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି। ଏହା ଦ୍ୱାରା ସରକାରଙ୍କୁ ଉପର ସଦନରେ ଅଧିକ ସମର୍ଥନ ମିଳିପାରିବ।
କିରେନ୍ ରିଜିଜୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କରିଥିବା ପୋଷ୍ଟରେ କହିଛନ୍ତି ଯେ, ସରକାରଙ୍କ ସୁପାରିସକ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ସଦନକୁ ବର୍ଷାକାଳୀନ ଅଧିବେଶନ ପାଇଁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, “ଏହି ଅଧିବେଶନ ଜୁଲାଇ ୨୦, ୨୦୨୬ରୁ ଆରମ୍ଭ ହୋଇ ଅଗଷ୍ଟ ୧୩, ୨୦୨୬ ପର୍ଯ୍ୟନ୍ତ ଚାଲିବ। ଜାତୀୟ ଗୁରୁତ୍ୱର ବିଭିନ୍ନ ପ୍ରସଙ୍ଗ ଉପରେ ସାର୍ଥକ ବିତର୍କ, ଆଲୋଚନା ଓ ନିଷ୍ପତ୍ତି ପାଇଁ ଏହି ଅଧିବେଶନ ଅନୁଷ୍ଠିତ ହେବ।”
ପୂର୍ବବର୍ତ୍ତୀ ଅଧିବେଶନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପାଇଁ ନିରାଶାଜନକ ଥିଲା। କାରଣ, ୨୦୨୯ରୁ ବିଧାନମଣ୍ଡଳଗୁଡ଼ିକରେ ମହିଳାଙ୍କ ପାଇଁ ସଂରକ୍ଷଣ ଲାଗୁ କରିବା ସହ ଲୋକସଭା ଆସନ ସଂଖ୍ୟା ବୃଦ୍ଧି ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ପରାଜିତ ହୋଇଥିଲା। ଏବେ ସରକାର ଏହି ବିଲ୍କୁ ପୁନଃ ପ୍ରସ୍ତୁତ କରୁଛନ୍ତି। ନୂତନ ଖସଡ଼ାରେ ସମସ୍ତ ରାଜ୍ୟର ଲୋକସଭା ଆସନକୁ ସମାନ ଭାବେ ୫୦ ପ୍ରତିଶତ ବୃଦ୍ଧି କରିବାର ବ୍ୟବସ୍ଥା ରହିପାରେ। ଜନସଂଖ୍ୟା ଆଧାରିତ ଆସନ ବୃଦ୍ଧିକୁ ନେଇ ଦକ୍ଷିଣ ଭାରତର ବିଭିନ୍ନ ରାଜନୈତିକ ଦଳ ଦୀର୍ଘଦିନ ଧରି ଚିନ୍ତା ପ୍ରକାଶ କରୁଛନ୍ତି, ଏବଂ ଏହି ନୂଆ ବିଲ୍ ତାଙ୍କ ମତକୁ ସମ୍ମାନ ଦେଇ ପ୍ରସ୍ତୁତ ହେଉଛି।
ସୂଚନାଯୋଗ୍ୟ; ଏପ୍ରିଲ ୧୮ରେ ଲୋକସଭା ଏବଂ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ଫଳରେ ସଂସଦର ୨୦୨୬ ବଜେଟ ଅଧିବେଶନ ଆନୁଷ୍ଠାନିକ ଭାବେ ଶେଷ ହୋଇଥିଲା। ସେହି ସମୟରେ ମହିଳା ସଂରକ୍ଷଣ ଆଇନକୁ ପରିବର୍ତ୍ତନ କରିବା ପାଇଁ ଏକ ସମ୍ବିଧାନ ସଂଶୋଧନ ବିଲ୍ ଏବଂ ଏକ ସୀମା ନିର୍ଦ୍ଧାରଣ ବିଲ୍ ଆଗତ କରାଯାଇଥିଲା, ଯାହାକି ନିମ୍ନ ସଦନରେ ଫେଲ୍ ମାରିଥିଲା। ସଂସଦର ଉଭୟ ଗୃହ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିଲା, କିନ୍ତୁ କେବଳ କିଛି ମିନିଟ୍ କାର୍ଯ୍ୟ ଚାଲିବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଥିଲା। ଲୋକସଭାରେ ବାଚସ୍ପତି ଓମ୍ ବିର୍ଲା ତାଙ୍କର ସମାପନା ମନ୍ତବ୍ୟ ଦେଇଥିଲେ ଏବଂ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ। ସେହିପରି ରାଜ୍ୟସଭାରେ ଅଧ୍ୟକ୍ଷ ଏବଂ ଉପ-ରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ୍ ମଧ୍ୟ ବିଦାୟୀ ଅଭିଭାଷଣ ପ୍ରଦାନ କରିବା ପରେ ଗୃହକୁ ମୁଲତବୀ ରଖିଥିଲେ। ଏବେ ଆସନ୍ତା ଜୁଲାଇ ୨୦ରେ ନୂଆ ଅଧିବେଶନ ଆରମ୍ଭ ହେଉଛି।
