ଯୁକ୍ତ ଦୁଇ ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷାରେ କମ୍ ନମ୍ବର ଆସିଲେ, ପୁରୁଣା ମାର୍କସିଟ୍ ରହିବ ବଳବତ୍ତର
ଭୁବନେଶ୍ୱର (ସଂକେତ ଟିଭି): ଯୁକ୍ତ ଦୁଇ ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷାରେ ପୂର୍ବ ମାର୍କଠାରୁ କମ୍ ନମ୍ବର ଆସିଲେ ମଧ୍ୟ ସେମାନଙ୍କୁ ଚିନ୍ତା କରିବାର କୌଣସି କାରଣ ନାହିଁ। ମୂଳ ଯୁକ୍ତ ଦୁଇ ପରୀକ୍ଷାରେ ମିଳିଥିବା ନମ୍ବର ଯଦି ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷାରେ ପ୍ରାପ୍ତ ନମ୍ବରଠାରୁ ଅଧିକ ହୁଏ, ତେବେ ଅଧିକ ନମ୍ବରକୁ ହିଁ ପ୍ରାଥମିକତା ଦିଆଯିବ। ପୁରୁଣା ମାର୍କସିଟ୍ ବଳବତ୍ତର ରହିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷାର ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ପାସ୍ କରିଥିଲେ ମଧ୍ୟ କୌଣସି ଗୋଟିଏ ବିଷୟରେ ନମ୍ବର ବଢ଼ାଇବାକୁ ଚାହୁଁଥିଲେ, ସେମାନେ ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷା ଦେଇଛନ୍ତି। ସେହିପରି ଗୋଟିଏ ବିଷୟରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଇନଷ୍ଟାଣ୍ଟ୍ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା।
ପ୍ରଥମ ଥର ପାଇଁ ଇମ୍ପ୍ରୁଭମେଣ୍ଟ୍ ଓ ଇନଷ୍ଟାଣ୍ଟ୍ ପରୀକ୍ଷାର ଫଳାଫଳ ଏକାସାଙ୍ଗରେ ପ୍ରକାଶ ପାଇବ। ଆସନ୍ତା ଜୁଲାଇ ୨୦ରୁ ୩୦ ତାରିଖ ମଧ୍ୟରେ ଫଳ ପ୍ରକାଶ କରିବାକୁ CHSE ଲକ୍ଷ୍ୟ ରଖିଥିବା ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ ପରିଡା।
ଡ. ପ୍ରଶାନ୍ତ ପରିଡା କହିଛନ୍ତି, “ଚଳିତ ବର୍ଷ ମୋଟ ୪,୫୨୫ ଜଣ ଛାତ୍ରଛାତ୍ରୀ ଇମ୍ପ୍ରୁଭମେଣ୍ଟ୍ ଓ ଇନଷ୍ଟାଣ୍ଟ୍ ପରୀକ୍ଷାରେ ଅଂଶଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୧,୭୪୧ ଜଣ ଇନଷ୍ଟାଣ୍ଟ୍ ଏବଂ ୨,୭୮୪ ଜଣ ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷା ଦେଇଛନ୍ତି।”
କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ମୋଟ ୬୬ଟି ବିଷୟ ପାଇଁ ୩୦ ଜିଲ୍ଲାର ୩୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆୟୋଜନ କରାଯାଇଛି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ୨ଟି ଅତିରିକ୍ତ ପରୀକ୍ଷା କେନ୍ଦ୍ର ମଧ୍ୟ ଖୋଲାଯାଇଛି। ଆଜି ପ୍ରାକ୍ଟିକାଲ୍ ପରୀକ୍ଷା ଅନୁଷ୍ଠିତ ହେଉଛି।
ସୂଚନା ଅନୁଯାୟୀ, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ ଭଲ ହୋଇଥିଲା। କଳାରେ ଛାତ୍ରଙ୍କ ପାସ୍ ହାର ୭୭.୯୭% ରହିଥିଲା। ଛାତ୍ରୀଙ୍କ ପାସ୍ ହାର ୮୯.୪୫% ଥିଲା। କଳାରେ ମୋଟ ପାସ୍ ହାର ୮୪.୫୦% ରହିଥିଲା।
ବାଣିଜ୍ୟ ବିଭାଗରେ ଛାତ୍ରଙ୍କ ପାସ୍ ହାର ୮୬.୬୭% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୦.୪୩% ରହିଛି। ବାଣିଜ୍ୟରେ ମୋଟ ପାସ୍ ହାର ୮୮.୦୭%।
ସେହିପରି ବିଜ୍ଞାନ ବିଭାଗରେ ଛାତ୍ରଙ୍କ ପାସ୍ ହାର ୮୭.୪୧% ଓ ଛାତ୍ରୀଙ୍କ ପାସ୍ ହାର ୯୦.୨୪% ରହିଛି। ବିଜ୍ଞାନରେ ମୋଟ ପାସ୍ ହାର ୮୮.୮୦% ରହିଛି।
