ଥାନା କ୍ୱାର୍ଟର୍ସରୁ ମିଳିଲା ମହିଳା ଆଇଆଇସିଙ୍କ ମୃତଦେହ
କଟକ (ସଂକେତ ଟିଭି): କଟକ ସହରର ଚାଉଳିଆଗଞ୍ଜ ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ (ଆଇଆଇସି) ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ ବାସଭବନ (ଥାନା କ୍ୱାର୍ଟର୍ସ) ରୁ ଉଦ୍ଧାର କରାଯାଇଛି। ଏହି ଘଟଣା ପୋଲିସ ମହଲ ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଉତ୍କଣ୍ଠା ସୃଷ୍ଟି କରିଛି।
ପୋଲିସ ସୂତ୍ର ଅନୁଯାୟୀ, ଆଇଆଇସି ବ୍ୟୁଟି ମହାନ୍ତି ଦୀର୍ଘ ସମୟ ଧରି କୌଣସି ଉତ୍ତର ଦେଉନଥିଲେ। ସହକର୍ମୀମାନେ ବାରମ୍ବାର ଫୋନ କରିବା ସତ୍ତ୍ୱେ ଯେତେବେଳେ ତାଙ୍କର କୌଣସି ପ୍ରତିକ୍ରିୟା ମିଳିଲା ନାହିଁ, ସେତେବେଳେ ଥାନାର ଏକ ଟିମ୍ ତାଙ୍କ କ୍ୱାର୍ଟର୍ସରେ ପହଞ୍ଚିଥିଲା। ବାରମ୍ବାର କବାଟ ବାଡ଼େଇବା ପରେ ମଧ୍ୟ ଭିତରୁ କୌଣସି ସଡ଼ ବାଡ଼ ଶୁଣାଯାଇନଥିଲା। ଏହାପରେ ତୁରନ୍ତ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ଖବର ଦିଆଯାଇଥିଲା।
ପରେ ପୋଲିସ ଟିମ୍ କବାଟ ଖୋଲି ଘର ଭିତରେ ପ୍ରବେଶ କରି ଆଇଆଇସି ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରିଛନ୍ତି, ତାହା ଖୋଲା ପଡ଼ିଛି।
ମୃତଦେହକୁ ବ୍ୟବଚ୍ଛଦ (ପୋଷ୍ଟମର୍ଟମ) ପାଇଁ ପଠାଯାଇଛି। ଏଥିସହ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
