FeaturedLatestNews

ରାଜ୍ୟରେ ସେଲ୍ଫ ଫାଇନାନ୍ସିଂ ଓ ପ୍ରଫେସନାଲ କଲେଜ ପାଇଁ କୋହଳ ହେଲା ନିୟମ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ସେଲ୍ଫ ଫାଇନାନ୍ସିଂ ଓ ପ୍ରଫେସନାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିୟମକୁ କୋହଳ କରିଛନ୍ତି। ଏଣିକି ଏହି ଅନୁଷ୍ଠାନଗୁଡ଼ିକ ପାଇଁ ସର୍ବନିମ୍ନ ଭିତ୍ତିଭୂମି ବା ଶିକ୍ଷକ ଆବଶ୍ୟକତା ଉପରେ ରାଜ୍ୟ ସରକାରଙ୍କ ତରଫରୁ କୌଣସି କଡ଼ା ନିୟମ ଲାଗୁ କରାଯିବ ନାହିଁ। ତେବେ ଶିକ୍ଷାନୁଷ୍ଠାନଗୁଡ଼ିକୁ ୟୁଜିସି, ଏଆଇସିଟିଇ, ଏନଏମସି ଓ ଆଇଏନସି ଭଳି କେନ୍ଦ୍ରୀୟ ନିୟାମକ ସଂସ୍ଥାର ସମସ୍ତ ମାନଦଣ୍ଡ ଓ ଆବଶ୍ୟକତା କଡ଼ାକଡ଼ି ଭାବେ ପାଳନ କରିବାକୁ ବାଧ୍ୟ କରାଯାଇଛି।

ଏହି ନୂତନ ନିର୍ଦ୍ଦେଶାବଳୀ ଅନୁସାରେ, ପ୍ଲେଜ୍ ମନି ବା ବନ୍ଧକ ଅର୍ଥ ରାଶିକୁ ମଧ୍ୟ ଯଥେଷ୍ଟ କମାଇ ଦିଆଯାଇଛି। ଏବେ ସେଲ୍ଫ-ଫାଇନାନ୍ସିଂ ଓ ପ୍ରଫେସନାଲ କଲେଜ ପାଇଁ ମାତ୍ର ୫ ଲକ୍ଷ ଟଙ୍କା ଓ ବେସରକାରୀ ଅନୁଦାନପ୍ରାପ୍ତ କିମ୍ବା ବ୍ଲକ ଗ୍ରାଣ୍ଟ କଲେଜ ପାଇଁ ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ପୂର୍ବରୁ ଏହି ରାଶି ଅଧିକ ଥିଲା, ଯାହାକୁ ବ୍ୟବସାୟିକ ସହଜତା ଦୃଷ୍ଟିରୁ ସରଳୀକୃତ କରାଯାଇଛି।

ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁରର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ସମେତ ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏହି ପଦକ୍ଷେପ ଉଚ୍ଚଶିକ୍ଷାର ପ୍ରସାର, ବ୍ୟବସାୟିକ ସହଜତା ଏବଂ ଅଧିକ ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ନିଆଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।