FeaturedLatestNews

ଆସୁଛି ରଥଯାତ୍ରା, ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ (ସଂକେତ ଟିଭି): ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଡାକରା ହୋଇଛି। ଏହି ବୈଠକରେ ରଥଯାତ୍ରାର ସାମଗ୍ରିକ ପ୍ରସ୍ତୁତି, ନିରାପତ୍ତା ବ୍ୟବସ୍ଥା ଏବଂ ଭକ୍ତଙ୍କ ସୁବିଧା ଉପରେ ଆଲୋଚନା ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେବା ସହିତ କହିଛନ୍ତି ଯେ ରଥ ଉପରେ କୌଣସି ଅନଧିକୃତ ବ୍ୟକ୍ତି କିମ୍ବା ଛଦ୍ମବେଶୀ ଚଢ଼ିବାକୁ ସଖ୍ତ ଭାବେ ନିଷେଧ କରାଯିବ। ଏଭଳି ଘଟଣା ଘଟିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଶ୍ରଦ୍ଧାଳୁମାନେ ରଥ ଉପରକୁ ମୋବାଇଲ୍ ଫୋନ୍ ନେଇଯିବାକୁ ଅନୁମତି ପାଇବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ଆସନ୍ତା ୧୮ ତାରିଖରେ ଏଏସଆଇ (ASI) ଏବଂ ଶ୍ରୀମନ୍ଦିର ବୈଷୟିକ କମିଟି ମିଳିତ ଭାବେ ଶ୍ରୀମନ୍ଦିରର ଭୋଗମଣ୍ଡପ, ଗର୍ଭଗୃହ ଏବଂ ନାଟମଣ୍ଡପର ବିସ୍ତୃତ ଯାଞ୍ଚ କରିବେ। ଏହାପରେ ୧୯ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲାଗିଥିବା ରୂପା ରସିକ ଶୁଆ ଥଣ୍ଟିଆର ଗଣତି କରାଯିବ। ସେହିପରି ନୀଳାଦ୍ରିବିଜେ ପରେ ଏବଂ ଚିତାଲାଗି ଅମାବାସ୍ୟା ପୂର୍ବରୁ ମହାପ୍ରଭୁଙ୍କ ରାହୁ ରେଖା ଓ ସୁବର୍ଣ୍ଣ ଖଚିତ ଚିତାର ଗଣତି କରାଯିବ। ଏସବୁ କାର୍ଯ୍ୟକ୍ରମର ତାରିଖ ଓ ସମୟ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ ସମସ୍ତଙ୍କୁ ଅବଗତ କରାଇଛନ୍ତି।

ଅନ୍ୟପଟେ ରଥଯାତ୍ରାକୁ ଅଧିକ ସୁସଂଗଠିତ କରିବା ପାଇଁ ସରକାର ଅଧିକ ସଂଖ୍ୟକ ଅଭିଜ୍ଞ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ସମ୍ପୂର୍ଣ୍ଣ ଶୃଙ୍ଖଳା ସହିତ ରଥଯାତ୍ରା ପରିଚାଳନା ସରକାରଙ୍କ ପ୍ରାଥମିକତା। ଏହାକୁ ଦୃଷ୍ଟିରେ ରଖି ବଡଦାଣ୍ଡକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇ ପ୍ରତ୍ୟେକ ଭାଗରେ ଜଣେ ଲେଖାଏଁ ଦକ୍ଷ ଅଧିକାରୀ ନିଯୁକ୍ତ ହେବେ, ଯାହା ଫଳରେ ଶ୍ରଦ୍ଧାଳୁଙ୍କ ଦର୍ଶନ ସୁଗମ ହୋଇପାରିବ।

ରଥଯାତ୍ରା ପୂର୍ବରୁ ରୀତିନୀତି ଏବଂ ରଥ ଚଢ଼ିବା ପରେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମାପ୍ତ ହେବା ଉପରେ ବିଶେଷ ନଜର ରଖାଯିବ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମସ୍ତ ରଥଯାତ୍ରା ଏବଂ ଜଗନ୍ନାଥ ମନ୍ଦିର ପାଇଁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁଷ୍ଟି କରିଛନ୍ତି।