FeaturedLatestNews

ପୁରୀ ରଥଯାତ୍ରା: ୩୦୦ ବସକୁ ମିଳିବ ଅସ୍ଥାୟୀ ପରମିଟ, ବଡଦାଣ୍ଡରେ ରନ୍ଧା ଖାଦ୍ୟ ବନ୍ଦ

ପୁରୀ(ସଂକେତ ଟିଭି): ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନଗର ଉନ୍ନୟନ ବିଭାଗ ପାଇଁ ଅନେକ ଆହ୍ୱାନ ରହିଥାଏ। ପୁରୀ ମହାନଗର ନିଗମ ବହୁ ପୂର୍ବରୁ ଚଳିତ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ସମସ୍ତଙ୍କ ସହଯୋଗ ଓ ସମ୍ମିଳିତ ଭାବେ କାର୍ଯ୍ୟ କରି ଉନ୍ନତ ସେବା ଯୋଗାଇ ଶୃଙ୍ଖଳିତ ରଥଯାତ୍ରାକୁ ସଫଳ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ। ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ନଗର ଉନ୍ନୟନ ବିଭାଗର ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି।

ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ଯାତ୍ରୀମାନଙ୍କ ସୁସ୍ଥ ଓ ସୁରକ୍ଷିତ ଦର୍ଶନ ପାଇଁ ନଗର ଉନ୍ନୟନ ବିଭାଗ ଏକ ପ୍ରମୁଖ ମାଧ୍ୟମ। ସହରକୁ ସଫା ସୁତୁରା ରଖିବା, ସୁସ୍ଥ ପରିବେଶ ସୃଷ୍ଟି କରିବା, ଶୌଚାଳୟ ବ୍ୟବସ୍ଥା କରିବା, ପାର୍କିଂ, ଆଲୋକିକରଣ ଇତ୍ୟାଦି ସମସ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ସହରର ସମସ୍ତ ନଳାକୁ ସଫା କରାଯାଇଛି। ବଡଦାଣ୍ଡର ଉଭୟ ପାର୍ଶ୍ଵ ଡ୍ରେନଗୁଡିକ ଜାଗୃତି ୱ୍ବେଲଫେୟାର ସଂସ୍ଥା ଦ୍ଵାରା ସଫା ସରିଛି। ୨୪ ଗୋଟି ପାର୍କିଂ ସ୍ଥଳ ପାଇଁ ବ୍ୟବସ୍ଥା କରାଯାଇଛି। ସହରର ସମସ୍ତ ସାହି, ଗଳି ରାସ୍ତା ମରାମତି କାମ ଓ ପାଥ୍‌ହୋଲ ମରାମତି କାମ ସମ୍ପୂର୍ଣ୍ଣ ହୋଇଛି। ବୁଲା ଗାଈଗୋରୁଙ୍କୁ ନିୟନ୍ତ୍ରଣ କରିବା ପାଇଁ କାଞ୍ଜିଆହୁଦା ବ୍ୟବସ୍ଥା କରାଯାଇଛି। ବର୍ଷାକୁ ଆଖି ଆଗରେ ରଖି ୩୦ ଟି ଖାଲୁଆ ଅଞ୍ଚଳ ଚିହ୍ନଟ କରାଯାଇ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ପମ୍ପ ସେଟ ରଖାଯାଇଥିବା ବେଳେ ଏନଫୋର୍ସମେଣ୍ଟ କାର୍ଯ୍ୟ ନିୟମିତ କରାଯାଉଛି।

ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳା ସମସ୍ତଙ୍କୁ ସ୍ବାଗତ ସହ କାର୍ଯ୍ୟସୂଚୀ ଅନୁସାରେ ପୁରୀ ମହାନଗର ନିଗମର ବିବିଧ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସର୍ବାଧିକ ଗୁରୁତ୍ୱ ସ୍ବଛତା ଉପରେ ଦିଆଯିବା ସହ ସମସ୍ତ ନାଗରିକମାନଙ୍କୁ ସଚେତନ କରାଯିବ। କେହି ସ୍ବଛତା ନିୟମ ଉଲ୍ଲଙ୍ଘନ କରୁଥିଲେ ତାଙ୍କୁ ଫାଇନ କରାଯିବ ବୋଲି ସ୍ଥିର ହୋଇଛି।

ଚଳିତ ରଥଯାତ୍ରାରେ ବଡଦାଣ୍ଡରେ ଆଦୌ ରନ୍ଧା ଖାଦ୍ୟ ଦିଆଯିବ ନାହିଁ। ଶୁଖିଲା ଖାଦ୍ୟ ବଣ୍ଟା ଯାଇ ପାରିବ। ଯାହା ଫଳରେ ପରିବେଶ ଅସ୍ବଛ ରହିବ ନାହିଁ। ବିଭିନ୍ନ ସାଇନଏଜ ବା ସୂଚନା ଫଳକ ଲଗାଯାଇ ଖାଦ୍ୟ, ପାନୀୟ, ଚିକିତ୍ସା ଇତ୍ୟାଦି ସମ୍ପର୍କରେ ଲୋକଙ୍କୁ ସୂଚିତ କରାଯିବ ବୋଲି ସ୍ଥିର ହୋଇଛି।

ସମୀକ୍ଷା ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ବିନୟ କୁମାର ଦାସ, ଅତିରିକ୍ତ ସଚିବ ଶୁଭାନନ୍ଦ ମହାପାତ୍ର, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ମହାନଗର ନିଗମର ଯୁଗ୍ମ ସଚିବ ଅଭିମନ୍ୟୁ ବେହେରା, ମହାନଗର ନିଗମର ଅଧିକାରୀମାନେ ଯୋଗ ଦେଇଥିଲେ।

ରଥଯାତ୍ରା ସମୟରେ ପରିବହନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଶ୍ରଦ୍ଧାଳୁ ଓ ଭଗବାନଙ୍କ ମଧ୍ୟରେ ପରିବହନ ବିଭାଗ ସେତୁ ସଦୃଶ୍ୟ। ତେଣୁ ପରିବହନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏହାକୁ ମହାପ୍ରଭୁଙ୍କ ସେବା ବୋଲି ବିବେଚନା କରି କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଛନ୍ତି ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ବାଳ।

ଚଳିତ ବର୍ଷ ପୁରୀ ଭୁବନେଶ୍ୱର ସ୍ଥାୟୀ ପରମିଟ ମାଧ୍ୟମରେ ପରିବହନ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଅତିରିକ୍ତ ପ୍ରାୟ ୩୦୦ ବସକୁ ଅସ୍ଥାୟୀ ପରମିଟ ପ୍ରଦାନ କରାଯିବ। ବସଗୁଡିକ ଯେପରି ଉପଯୁକ୍ତ ଭଡା ନେବେ ସେଥିପାଇଁ ପ୍ରତ୍ୟେକ ପରିବହନ ଗାଡ଼ି ଯଥା ବସ, ଅଟୋ ଇତ୍ୟାଦିରେ ରେଟ ଚାର୍ଟ ଲଗାଯିବ। ବସ ମାଲିକ ସଂଘମାନଙ୍କୁ ନେଇ କମିଟି ଗଠନ ଓ ସମନ୍ୱୟ ରଖାଯିବ।

ପରିବହନର ପରିଚାଳନା ପାଇଁ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ କରାଯାଇଛି। ସ୍ପିଡ ଯାଞ୍ଚ, ଓଭର ଲୋଡିଂ, ଫିଟନେସ, ପରମିଟ ଇତ୍ୟାଦି ଯାଞ୍ଚ କରାଯିବ। ଯାତ୍ରୀମାନଙ୍କ ପାଇଁ ବିଶ୍ରାମ ଗୃହ ସହ ଅନ୍ୟାନ୍ୟ ମୌଳିକ ସୁବିଧା ର ବ୍ଯବସ୍ଥା ହେବ। ପ୍ରାଥମିକ ଚିକିତ୍ସା କିଟ, ପିଇବା ପାଣି, ଓଆରଏସ ଇତ୍ୟାଦି ବଣ୍ଟନ କରାଯିବ।

କ୍ରେନ ଓ ଆମ୍ବୁଲାନ୍ସ ନିୟୋଜିତ ରହିବ। ଦୁଇଟି ସୂଚନା କେନ୍ଦ୍ର ମାଧ୍ୟମରେ ଅତ୍ୟାବଶ୍ୟକୀୟ ସୂଚନା ପ୍ରଦାନ କରାଯିବ। ଗାଡି ମରାମତି ସେବା, ଟ୍ରାଫିକ ପରିଚାଳନା, ଏନଏଚଏଆଇ ହାଇୱ୍ବେ ପେଟ୍ରୋଲିଂ, ମାଳତୀପାଟପୁର ଠାରେ କ୍ୟାମ୍ପ, ସଟଲ ସେବା ସହ ବସଗୁଡିକରେ ସଡକ ସୁରକ୍ଷା ବାର୍ତ୍ତା ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି।