FeaturedLatestNews

ଅବପାତ ଲଘୁଚାପରେ ପରିଣତ, ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର (ସଂକେତ ଟିଭି): ଝାଡ଼ଖଣ୍ଡ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଉପରେ ସକ୍ରିୟ ଥିବା ଅବପାତ ଧୀରେ ଧୀରେ ଦୁର୍ବଳ ହେବାର ପଥରେ ଅଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଝାଡ଼ଖଣ୍ଡ ମଧ୍ୟ ଦେଇ ଗତିକରି ଉତ୍ତର ଛତିଶଗଡ଼ ମୁହାଁ ହେବ । ଏହି କ୍ରମରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ସାରା ରାଜ୍ୟରେ ବ୍ୟାପକ ବର୍ଷା ହେବା ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏନେଇ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏହି ୪ ଜିଲ୍ଲାକୁ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି । ସେହିପରି ନୂଆପଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସହ ସମାନ ବେଗରେ ପବନ ବହିବାର ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକୁ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି । ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ।

ଆସନ୍ତାକାଲି (୧୫ ଅଗଷ୍ଟ) ଠାରୁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ବରଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ୩ ଜିଲ୍ଲାକୁ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି । ଅନ୍ୟପଟେ, ୧୯ ଅଗଷ୍ଟ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ, ଏହାର ପ୍ରଭାବରେ ୨୦ ଅଗଷ୍ଟ ପାଖାପାଖି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ତେବେ ଏହି ଘୂର୍ଣ୍ଣିବଳୟର ସ୍ପଷ୍ଟ ଚିତ୍ର ଏବେ ଉପଲବ୍ଧ ନଥିବାରୁ ପରବର୍ତ୍ତୀ ସମୟରେ ଅଧିକ ସୂଚନା ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଆସନ୍ତା ୧୪ ଓ ୧୫ ତାରିଖରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମୋଟାମୋଟି ଭାବେ ଆସନ୍ତା ୫ ଦିନ ଅର୍ଥାତ୍ ୧୮ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଏପଟେ, ଚଳିତ ବର୍ଷ ୧ ଜୁନରୁ ୧୪ ଅଗଷ୍ଟ ସୁଦ୍ଧା ରାଜ୍ୟରେ ମୋଟ ୯୨୧.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତ ତୁଳନାରେ ୨୭% ଅଧିକ । ଏଥିରେ ୬ଟି ସ୍ଥାନରେ ଅତି ପ୍ରବଳ ଏବଂ ୧୯ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ରାଜ୍ୟରେ ସର୍ବାଧିକ ୧୨୮ ମିଲିମିଟର ବର୍ଷା ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟାରେ ରେକର୍ଡ କରାଯାଇଛି ।