CrimeFeaturedLatestNews

ନୂଆପଡ଼ାରେ ପୁଣି ମାଓ ଡମ୍ପ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ନୂଆପଡ଼ା(ସଂକେତ ଟିଭି): ନୂଆପଡ଼ା ଜିଲ୍ଲାର ବୋଡେନ ଥାନା ଅନ୍ତର୍ଗତ ପାଟଧରା ଜଙ୍ଗଲର ବରପାଟ ଡଙ୍ଗରରୁ ପୁଣି ଏକ ବୃହତ ମାଓ ଡମ୍ପ ଠାବ କରାଯାଇଛି। ଡିଭିଏଫ (DVF) ଏବଂ ସିଆରପିଏଫ (CRPF)ର ମିଳିତ ସର୍ଚ୍ଚ ଅପରେସନ ବେଳେ ଏହି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଉଦ୍ଧାର କରାଯାଇଛି।

ଗୁଇନ୍ଦା ସୂତ୍ରରୁ ଖବର ପାଇ ମିଳିତ ଟିମ୍ ପାଟଧରା ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚଳାଇଥିଲା। ଏହି ମାଓ କ୍ୟାମ୍ପରୁ ବିପୁଳ ପରିମାଣର ନକ୍ସଲ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ଉଦ୍ଧାର ସାମଗ୍ରୀ ମଧ୍ୟରେ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ କାରବାଇନ, ଦୁଇଟି ଟିଫିନ ବୋମା, ୮୩ ଗୁଳି, ଜିଲେଟିନ, ବ୍ୟାଟେରୀ, ଗନ ପାଉଡର, ତାର, ମେଡ଼ିସିନ ଏବଂ ପୁସ୍ତିକା ରହିଛି। ଏହି ସବୁ ସାମଗ୍ରୀ ଜବତ କରାଯାଇଥିବା ନେଇ ନୂଆପଡ଼ା ଏସପି ଅମ୍ରିତପାଳ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୩୧ ତାରିଖରେ ନୂଆପଡ଼ା ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଥିଲା। ତେବେ ସାଧାରଣ ଜନତାଙ୍କର କୌଣସି ପ୍ରକାର କ୍ଷତି ନହେବା ପାଇଁ ମାଓବାଦୀମାନେ ଲୁଚାଇ ରଖିଥିବା ସମସ୍ତ ବିସ୍ଫୋରକ ସାମଗ୍ରୀକୁ ଖୋଜି ଖୋଜି ଉଦ୍ଧାର କରାଯାଉଛି। ଏହି ଅପରେସନ ଜାରି ରହିଛି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *