FeaturedLatestNews

ଲଗାଣ ବର୍ଷାରେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ଦେବେ ସରକାର

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଯେଉଁ ଚାଷ ଜମି କିମ୍ବା ଘର ଭାଙ୍ଗିଯାଇଛି, ସେଥିପାଇଁ କ୍ଷତିଗ୍ରସ୍ତମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିଛନ୍ତି। ଗୋଟିଏ ବ୍ଲକରେ ଗୋଟିଏ ଘର କିମ୍ବା ଚାଷ ଜମି ନଷ୍ଟ ହୋଇଥିଲେ ମଧ୍ୟ ସରକାର ତାହାର କ୍ଷତିପୂରଣ ଦେବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଗତ ସପ୍ତାହ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି। ବିଶେଷକରି ବଲାଙ୍ଗୀର, କଟକ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଚାଷ ଜମିଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି। ବର୍ଷାରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ସେମାନଙ୍କୁ ଖାଦ୍ୟ ଯୋଗାଣ କରାଯାଇଛି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ଯେଉଁ ଜିଲ୍ଲାଗୁଡ଼ିକରେ କମ୍-ବେଶି ବର୍ଷା ହୋଇଛି, ସେସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଜିଲ୍ଲାରୁ ରିପୋର୍ଟ ଆସିବା ପରେ ତାହାର ସମୀକ୍ଷା କରି କ୍ଷତିପୂରଣ ରାଶି ନିର୍ଦ୍ଧାରଣ କରାଯିବ।

ଇତିମଧ୍ୟରେ ବରଗଡ, ବଲାଙ୍ଗୀର ଏବଂ କଟକ ଜିଲ୍ଲାରୁ କ୍ଷୟକ୍ଷତି ରିପୋର୍ଟ ଆସିସାରିଛି। ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, କ୍ଷତିଗ୍ରସ୍ତ ଲୋକଙ୍କ ସମ୍ପୂର୍ଣ୍ଣ ତଥ୍ୟ ଏବଂ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସଂରକ୍ଷଣ କରାଯାଉ। କ୍ଷତିପୂରଣ ରାଶି ସିଧାସଳଖ ଅନଲାଇନ୍ ମାଧ୍ୟମରେ ପୀଡ଼ିତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଚାଷ ଆରମ୍ଭ ହେବା ପୂର୍ବରୁ ଯଦି କୌଣସି କ୍ଷତି ଘଟିଥାଏ, ତେବେ ମଧ୍ୟ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଗୋଟିଏ ବ୍ଲକରେ ଗୋଟିଏ ଘର କିମ୍ବା ଗୋଟିଏ ଚାଷୀଙ୍କ ଜମି କ୍ଷତିଗ୍ରସ୍ତ ହୋଇଥିଲେ ବି ସେ କ୍ଷତିପୂରଣ ପାଇବେ ବୋଲି ମନ୍ତ୍ରୀ ପୂଜାରୀ ଶେଷରେ କହିଛନ୍ତି।