FeaturedLatestNews

ବିଳମ୍ବ ହୋଇପାରେ ପଞ୍ଚାୟତ ଓ ପୌର ନିର୍ବାଚନ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ପ୍ରେସମିଟ ଜରିଆରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, SIR (ସମନ୍ୱିତ ଭୋଟର ତାଲିକା ପ୍ରକ୍ରିୟା) କାରଣରୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ବିଳମ୍ବ ହୋଇପାରେ। ଏହି ପ୍ରକ୍ରିୟା ଶେଷ ହେବା ପରେ ହିଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସ୍ପଷ୍ଟ କରାଯାଇଛି।

ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ସେପ୍ଟେମ୍ବର ମାସରେ ରାଜ୍ୟ ନିର୍ବାଚନ ଆୟୋଗ (CEC) ପକ୍ଷରୁ ଭୋଟର ତାଲିକା ପ୍ରକାଶ କରାଯିବ। ତେବେ ଏହା ପୂର୍ବରୁ ଅକ୍ଟୋବର ମାସରୁ ଘରକୁ ଘର ସର୍ଭେ (ଡୋର ଟୁ ଡୋର ସର୍ଭେ) ଆରମ୍ଭ ହେବ। ସ୍ୱଚ୍ଛ ଓ ତ୍ରୁଟିହୀନ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଏହି ସର୍ଭେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି।

ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଏହି ଘରକୁ ଘର ସର୍ଭେ କରାଯିବ। ଏହି ସର୍ଭେ ଆଧାରରେ ବୁଥ୍ ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଡୋର-ଟୁ-ଡୋର ସର୍ଭେ କରାଯାଉଛି, ଯାହା ଭୋଟର ତାଲିକାକୁ ଅଧିକ ସଠିକ କରିବ ବୋଲି ଆଶା କରାଯାଉଛି।

ସଚିବ ଅଧିକ ସୂଚନା ଦେଇ କହିଛନ୍ତି ଯେ, ଫେବ୍ରୁଆରୀ ୧୦ ସୁଦ୍ଧା ସମସ୍ତ ୱାର୍ଡର ଭୋଟର ତାଲିକା ପ୍ରକାଶ କରାଯିବ। ତାଲିକା ପ୍ରସ୍ତୁତି ପାଇଁ ବିଭିନ୍ନ ଟିମ୍ ଗଠନ କରାଯାଉଛି। ଜୁଲାଇ ୩୧ ତାରିଖ ସୁଦ୍ଧା ସବୁ ଟିମ୍ ଗଠନ କାର୍ଯ୍ୟ ସରିବ। ଏହାସହ ବାଲାଟ୍ ବକ୍ସ ମରାମତି ନେଇ ମଧ୍ୟ ଆଲୋଚନା ହୋଇଛି।

ନିର୍ବାଚନ ପାଇଁ ଆବଶ୍ୟକୀୟ EVM ମଶୀନ ସଂପର୍କରେ ସଚିବ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ୮୦୦୦ EVM ରହିଛି। କିନ୍ତୁ ଆଗାମୀ ନିର୍ବାଚନ ପାଇଁ ୧୨,୦୦୦ରୁ ଅଧିକ EVM ଆବଶ୍ୟକ ହେବ। ଏଣୁ ଅତିରିକ୍ତ EVM ଯୋଗାଡ଼ କରିବା ନେଇ ପ୍ରସ୍ତୁତି ଚାଲିଛି। ସଚିବ କହିଛନ୍ତି ଯେ, ସମସ୍ତ ପ୍ରକ୍ରିୟା ସ୍ୱଚ୍ଛ ଓ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଆୟୋଗ ପ୍ରତିବଦ୍ଧ।