FeaturedLatestNews

ଭୁବନେଶ୍ୱରରେ ପୂର୍ବାଞ୍ଚଳ ପୋଲିସର ସମନ୍ୱୟ ବୈଠକ, ଅପରାଧ ରୋକିବାକୁ ରଣନୀତି ପ୍ରସ୍ତୁତ

ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଭୁବନେଶ୍ୱରରେ ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (Eastern Regional Police Coordination Committee–ERPCC)ର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଡ଼ିଶା ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡର ଏଡିଜିମାନେ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPFs), କେନ୍ଦ୍ରୀୟ ପୋଲିସ ସଂଗଠନ (CPOs) ଏବଂ ବିଭିନ୍ନ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ବୈଠକ ଆରମ୍ଭରେ ଡିଜିପି ଖୁରାନିଆ ସମସ୍ତ ପ୍ରତିନିଧି ଓ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସମନ୍ୱୟ ବୈଠକ ଆୟୋଜନର ଦାୟିତ୍ୱ ଓଡ଼ିଶା ପୋଲିସକୁ ପ୍ରଦାନ କରିଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ।

ସ୍ୱାଗତ ଅଭିଭାଷଣରେ ଡିଜିପି ଖୁରାନିଆ କହିଥିଲେ ଯେ, ବର୍ତ୍ତମାନ ସମୟରେ ସଂଘଟିତ ଅପରାଧ, ସାଇବର ଅପରାଧ, ମାଦକ ଦ୍ରବ୍ୟ ଚୋରାଚାଲାଣ, ମାନବ ଚାଲାଣ ଏବଂ ବାମପନ୍ଥୀ ଉଗ୍ରବାଦ (LWE) ଭଳି ସୁରକ୍ଷାଜନିତ ଆହ୍ୱାନ କୌଣସି ଗୋଟିଏ ରାଜ୍ୟର ସୀମା ମଧ୍ୟରେ ସୀମିତ ନୁହେଁ। ଏହି ଚ୍ୟାଲେଞ୍ଜଗୁଡ଼ିକର ସଫଳ ମୁକାବିଲା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ନିରନ୍ତର ଗୁଇନ୍ଦା ସୂଚନାର ଆଦାନ-ପ୍ରଦାନ, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ପାରସ୍ପରିକ ବିଶ୍ୱାସ ଏବଂ ମିଳିତ କାର୍ଯ୍ୟଶୈଳୀ ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ।

ଦିନିକିଆ ଏହି ବୈଠକରେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କର ନିୟମିତ ଅନୁଧ୍ୟାନ ଓ ପୁନର୍ବାସ, ଆନ୍ତଃରାଜ୍ୟ ନିଶା କାରବାର ବିରୋଧରେ ମିଳିତ ଅଭିଯାନ, ସାଇବର ଅପରାଧର ମୁକାବିଲା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ତ୍ୱରିତ ସୂଚନା ବିନିମୟ, ଜିରୋ ଏଫ୍‌ଆଇଆର୍ (Zero FIR)ର ଶୀଘ୍ର ହସ୍ତାନ୍ତର ଓ ସମୟସୀମା ମଧ୍ୟରେ ତଦନ୍ତ, ରେଳ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଏବଂ ବେଆଇନ ଅନୁପ୍ରବେଶ ରୋକିବା ପାଇଁ ସମନ୍ୱିତ କାର୍ଯ୍ୟଯୋଜନା ପ୍ରସ୍ତୁତି ସମେତ ବିଭିନ୍ନ ସମସାମୟିକ ସୁରକ୍ଷା ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏହାସହ ଆନ୍ତଃରାଜ୍ୟ ଅପରାଧୀଙ୍କ ବିରୋଧରେ ମିଳିତ ଅଭିଯାନ, ଗୁଇନ୍ଦା ସୂଚନାର ରିୟଲ୍-ଟାଇମ୍ ବିନିମୟ, ପ୍ରଯୁକ୍ତିଭିତ୍ତିକ ପୋଲିସିଂ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଅଧିକ ସମନ୍ୱିତ କାର୍ଯ୍ୟପଦ୍ଧତି ଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ଭବିଷ୍ୟତରେ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ପାଇଁ ନିୟମିତ ବ୍ୟବଧାନରେ ଏଭଳି ସମନ୍ୱୟ ବୈଠକ ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା।

ବୈଠକ ଶେଷରେ ଡିଜିପି ଖୁରାନିଆ ଆଶା ପ୍ରକାଶ କରିଥିଲେ ଯେ, ଏହି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଓ ସୁପାରିଶଗୁଡ଼ିକ ପୂର୍ବ ଭାରତରେ ଆଇନଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା, ଆନ୍ତଃରାଜ୍ୟ ଅପରାଧ ନିୟନ୍ତ୍ରଣ ଏବଂ ଜାତୀୟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବାରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ଏହି ବୈଠକରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର୍. ପି. କୋଚେ, ନକ୍ସଲ ବିରୋଧୀ ଅଭିଯାନ ଏବଂ ସ୍ୱତନ୍ତ୍ର ଗୁଇନ୍ଦା ବିଭାଗର ଏଡିଜି ସଞ୍ଜୀବ ପଣ୍ଡା, ରେଳବାଇ ଓ ଉପକୂଳ ସୁରକ୍ଷା ଏଡିଜି ଅରୁଣ ବୋଥ୍ରା, ମୁଖ୍ୟାଳୟ ଏଡିଜି ପ୍ରତୀକ ମହାନ୍ତିଙ୍କ ସମେତ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରୀୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।