ପୋଲିସ ବିଭାଗରେ ଖାଲି ପଡିଛି ୩୩ ହଜାର ପଦ
କଟକ(ସଂକେତ ଟିଭି): ରାଜ୍ୟ ପୋଲିସ ବିଭାଗରେ ମାନବ ସମ୍ବଳ ଅଭାବ ରହିଛି ବୋଲି ପୋଲିସ ଡିଜି ଓ୍ବାଇ. ବି. ଖୁରାନିଆ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ବିଭାଗରେ ୩୩ ହଜାର ପଦବୀ ଖାଲି ପଡ଼ିଛି। ଜନସଂଖ୍ୟା ତୁଳନାରେ ଏହା ଅତ୍ୟନ୍ତ କମ୍। ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାର ପୋଲିସ ବାହିନୀର ସଂଖ୍ୟା ଅପେକ୍ଷାକୃତ କମ୍ ବୋଲି ଶ୍ରୀ ଖୁରାନିଆ ଉଲ୍ଲେଖ କରିଛନ୍ତି।
ଏହି ଅଭାବ ଦୂର କରିବା ପାଇଁ ରାଜ୍ୟ ସରକାର ୧୭ ହଜାର ନୂତନ ପଦବୀ ସୃଷ୍ଟି କରିଛନ୍ତି। ସମସ୍ତ ଖାଲି ପଦବୀ ଶୀଘ୍ର ପୂରଣ ହେବ ବୋଲି ଡିଜିପି ଆଶା ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଏହି ନିଯୁକ୍ତି ପ୍ରକ୍ରିୟା ଶେଷ ହେଲେ ପୋଲିସ ବିଭାଗର କାର୍ଯ୍ୟଭାର କମିବ ଏବଂ ଜନସାଧାରଣଙ୍କୁ ଭଲ ସେବା ଯୋଗାଇ ଦିଆଯିବ ବୋଲି ସେ ମତ ଦେଇଛନ୍ତି।
ଅନ୍ୟପଟେ, ସାଇବର ଅପରାଧ, ବିଶେଷକରି ଆର୍ଥିକ ଠକେଇକୁ ରୋକିବା ପାଇଁ ଓଡ଼ିଶା ପୋଲିସ ‘ଇ-ଜିରୋ ଏଫ୍ଆଇଆର୍ ବ୍ୟବସ୍ଥା’ ଲାଗୁ କରିଛି। ଏହି ବ୍ୟବସ୍ଥା ମାଧ୍ୟମରେ ଠକେଇ ମାମଲାର ଦ୍ରୁତ ପଞ୍ଜୀକରଣ, ଶୀଘ୍ର ତଦନ୍ତ ଏବଂ ପୀଡ଼ିତଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯିବ ବୋଲି ଡିଜିପି ସ୍ପଷ୍ଟ କରିଛନ୍ତି।
ନୂଆ ନିୟମ ଅନୁଯାୟୀ, ଯେଉଁମାନେ ଆର୍ଥିକ ଠକେଇର ଶିକାର ହେବେ, ସେମାନେ ତୁରନ୍ତ ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦ରେ ଯୋଗାଯୋଗ କରିବେ। ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ପରିମାଣର ସାଇବର ଆର୍ଥିକ ଠକେଇ ଅଭିଯୋଗ ଗୁଡ଼ିକ ଏହି ବ୍ୟବସ୍ଥା ଅଧୀନରେ ଆସିବ। ଭବିଷ୍ୟତରେ ଏହି ପ୍ରକ୍ରିୟାକୁ ଆହୁରି ସରଳ କରାଯିବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି।
ଇନ୍ସପେକ୍ଟର ବ୍ୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲା ପ୍ରସଙ୍ଗରେ ଡିଜିପି କହିଛନ୍ତି ଯେ ଏହାର ଗଭୀର ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ଆସିବା ପରେ ଆବଶ୍ୟକ ସ୍ଥିତେ ଉପଯୁକ୍ତ ପଦକ୍ଷେପ ନିଆଯିବ। ସେହିପରି, IPS ଅଧିକାରୀ ଜଗମୋହନ ମୀନାଙ୍କ ଇସ୍ତଫା ପ୍ରସଙ୍ଗରେ DGP କହିଛନ୍ତି ଯେ ଇସ୍ତଫା ଦେବା ତାଙ୍କର ନିଜସ୍ୱ ନିଷ୍ପତ୍ତି। ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ଶେଷରେ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଛି।
