BusinessFeaturedGeneralLatest

୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍ ପାଇଁ ମଞ୍ଜୁରୀ, କାଗଜ ନୋଟ୍ ଚାଲୁ ରହିବ

ନୂଆଦିଲ୍ଲୀ(ସଂକେତ ଟିଭି): ପଲିମର ନୋଟ୍ ପ୍ରଚଳନକୁ ଭାରତ ସରକାର ମଞ୍ଜୁରି ଦେଇଛନ୍ତି। ରାଜ୍ୟସଭାରେ ଲିଖିତ ଉତ୍ତରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି। ୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍ ଫିଲ୍ଡ ଟ୍ରାଏଲ୍ (ପରୀକ୍ଷାମୂଳକ ପ୍ରଚଳନ) ପାଇଁ ଅନୁମୋଦନ ମିଳିଛି। ଉଭୟ ମୂଲ୍ୟର ୧୦୦ କୋଟି ଲେଖାଏଁ ପଲିମର ନୋଟ୍ ପରୀକ୍ଷା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ପ୍ରସ୍ତାବ ଦେଇଥିଲେ, ଯାହାକୁ ସରକାର ମଞ୍ଜୁର କରିଛନ୍ତି।

କାଗଜ ନୋଟ୍ ବନ୍ଦ ହେବ ନାହିଁ: ପଲିମର ନୋଟ୍ ସହିତ କାଗଜ ନୋଟ୍ ମଧ୍ୟ ପୂର୍ବପରି ଚାଲୁ ରହିବ ବୋଲି ଆର୍ବିଆଇ ଓ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ପଲିମର ନୋଟ୍ ପର୍ଯ୍ୟାୟ ଅନୁସାରେ ବଜାରରେ ଛଡ଼ାଯିବ। ଧୀରେ ଧୀରେ ପଲିମର ନୋଟ୍ ବ୍ୟାପକ ହେବା ପରେ କାଗଜ ନୋଟ୍ ବନ୍ଦ କରାଯିବ କି ନାହିଁ, ସେନେଇ ସରକାର ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେଇପାରନ୍ତି। ଏଥିପାଇଁ ଏକ ସର୍କୁଲାର୍ ଜାରି କରାଯିବ। ସର୍କୁଲାର୍ ଆସିବା ପର୍ଯ୍ୟନ୍ତ କାଗଜ ନୋଟ୍ ଚାଲୁ ରହିବ।

ପଲିମର ନୋଟ୍ କ’ଣ?: ପଲିମର ନୋଟ୍ କୌଣସି କାଗଜ ନୁହେଁ, ବରଂ ‘ବାଇଆକ୍ସିଆଲି ଓରିଏଣ୍ଟେଡ୍ ପଲିପ୍ରୋପିଲିନ୍’ (BOPP) ନାମକ ଏକ ବିଶେଷ ପ୍ଲାଷ୍ଟିକ୍ ପଲ୍ପରେ ତିଆରି। ଏହା କପା ବା କାଠ ମଣ୍ଡ ଭଳି ତନ୍ତୁ ନୁହେଁ, ବରଂ ଏକ non-porous ପ୍ଲାଷ୍ଟିକ୍ ସିଟ୍। ପ୍ରଥମେ BOPP ପ୍ଲାଷ୍ଟିକ୍ ପଲ୍ପକୁ ଅତ୍ୟନ୍ତ ପତଳା ଓ ନମନୀୟ କରାଯାଏ। ଏହି ସ୍ୱଚ୍ଛ ପ୍ଲାସ୍ଟିକ୍ ଉପରେ ଉଭୟ ପାର୍ଶ୍ୱରେ ସ୍ୱତନ୍ତ୍ର ଧଳା କାଳି ଲଗାଯାଏ, ଯାହା ଦ୍ୱାରା ନୋଟ୍ କାଗଜ ପରି ଦିଶେ। କିନ୍ତୁ transparent window ଥିବା ସ୍ଥାନରେ କାଳି ଲଗାଯାଏ ନାହିଁ। ଏହାପରେ ଡିଜାଇନ୍, ରଙ୍ଗ, ମୂଲ୍ୟ ଓ ସୁରକ୍ଷା ଚିହ୍ନ ଛପାଯାଏ। ଏଥିରେ କାଳି ପ୍ଲାଷ୍ଟିକ୍ ସହ ଏପରି ମିଶିଯାଏ ଯେ ତାହା ଉଠାଇବା ସମ୍ଭବ ନୁହେଁ। ଶେଷରେ ହୋଲୋଗ୍ରାମ, ରଙ୍ଗ ପରିବର୍ତ୍ତନକାରୀ ଇଙ୍କ୍ ଓ ମାଇକ୍ରୋନପ୍ରିଣ୍ଟିଂ ଯୋଡ଼ାଯାଇ ବଡ଼ ସିଟ୍କୁ ନିର୍ଦ୍ଦିଷ୍ଟ ଆକାରରେ କାଟି ନୋଟ୍ ପ୍ରସ୍ତୁତ କରାଯାଏ।

ପୂର୍ବ ପ୍ରୟାସ ଓ ବୈଶ୍ୱିକ ସ୍ଥିତି: ୨୦୧୨ରେ ଭାରତରେ ପଲିମର ନୋଟ୍ ପ୍ରଚଳନ ପାଇଁ ପ୍ରୟାସ ହୋଇଥିଲା, କିନ୍ତୁ ଟେକ୍ନିକାଲ ସମସ୍ୟା ଯୋଗୁଁ ଏହା ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଅଷ୍ଟ୍ରେଲିଆ, କାନାଡା, ଯୁକ୍ତରାଜ୍ୟ ଓ ନ୍ୟୁଜିଲ୍ୟାଣ୍ଡ ସମେତ ବିଶ୍ୱର ୬୦ରୁ ଅଧିକ ଦେଶରେ ପଲିମର ନୋଟ୍ ଚାଲୁ ଅଛି।