FeaturedLatestNews

ଆସନ୍ତା ବର୍ଷ ଏପ୍ରିଲ-ମେ’ରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ ନିର୍ବାଚନ

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ବିଳମ୍ବ ହେବାର ସମ୍ଭାବନା ରହିଛି। ପୂର୍ବରୁ ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଏଥର ଏପ୍ରିଲ କିମ୍ବା ମେ’ ମାସରେ ନିର୍ବାଚନ ହେବ ବୋଲି ଆଶା କରାଯାଉଛି। ଜନଗଣନା ୨୦୨୭ କାର୍ଯ୍ୟ ମାର୍ଚ୍ଚ ପ୍ରଥମ ସପ୍ତାହରେ ସରିବା ପରେ ହିଁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ସନ୍ତୋଷ କୁମାର ଦାଶ ସୂଚନା ଦେଇଛନ୍ତି।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ଶ୍ରୀ ଦାଶ କହିଛନ୍ତି ଯେ, “ସର୍ଭେ କରି ଗୋଟିଏ ବୁଥରେ ସମସ୍ତ ଭୋଟର ଯେମିତି ସେହି ବୁଥରେ ରହିବେ ସେହି ଉଦ୍ଦେଶ୍ୟରେ ଭୋଟର ତାଲିକା ପ୍ରସ୍ତୁତ ହେବ।” ପୂର୍ବରୁ ଡୋର୍ ଟୁ ଡୋର୍ ସର୍ଭେ କରାଯାଉ ନଥିଲା। ଜାତୀୟ ନିର୍ବାଚନ କମିଶନଙ୍କ ଭୋଟର ତାଲିକା ଆଣି ଟେବୁଲ ଟପ୍ ଏକ୍ସରସାଇଜ ମାଧ୍ୟମରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରାଯାଉଥିଲା।

ଚଳିତ ଥର ୱାର୍ଡ ୱାରୀ ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ କିଛି ତ୍ରୁଟି ମଧ୍ୟ ପରିଲକ୍ଷିତ ହେଉଛି। ତେଣୁ ଜାତୀୟ ନିର୍ବାଚନ କମିଶନଙ୍କ ଭୋଟର ତାଲିକାକୁ ସ୍ପ୍ଲିଟ କରି ଡୋର୍ ଟୁ ଡୋର୍ ସର୍ଭେ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି।

ଏନେଇ ଚଳିତ ବର୍ଷ ଜାନୁଆରୀ ଓ ଫେବୃଆରୀ ମାସରେ ଆରଡିସି ଓ ଜିଲ୍ଲାପାଳମାନଙ୍କ ସହ ରାଜ୍ୟ ନିର୍ବାଚନ ଆୟୋଗ ଆଲୋଚନା କରିଥିଲେ। ଆସନ୍ତା ୨୧ ତାରିଖରେ ଭିସି ଜରିଆରେ ପୁନର୍ବାର ବୈଠକ ଅନୁଷ୍ଠିତ ହେବ। ଏଥିରେ ଡୋର୍ ଟୁ ଡୋର୍ ସର୍ଭେ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବ।

ଆସନ୍ତା ଅକ୍ଟୋବର ମାସରୁ ଡୋର୍ ଟୁ ଡୋର୍ ସର୍ଭେ କାର୍ଯ୍ୟ ଆରମ୍ଭ ହେବ। ସେତେବେଳକୁ ଜାତୀୟ ନିର୍ବାଚନ କମିଶନଙ୍କ ଭୋଟର ତାଲିକା ପ୍ରକାଶ ପାଇ ସାରିଥିବ। ଏହାକୁ ଭାଗ କରି ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଡୋର୍ ଟୁ ଡୋର୍ ସର୍ଭେ କରି ଭୋଟର ତାଲିକା ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି।

“ଜନଗଣନା ୨୦୨୭ର ଘର ତାଲିକା ପ୍ରସ୍ତୁତ ସରିଛି। ଆସନ୍ତା ଫେବୃଆରୀରୁ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ଜନଗଣନା ହେବ। ବ୍ଲକ ସ୍ତରୀୟ ଅଧିକାରୀ ଓ ଅଙ୍ଗନବାଡି କର୍ମୀ ଜନଗଣନା କାର୍ଯ୍ୟ କରିବା ପରେ ସେମାନେ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ହେବେ,” ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ କହିଛନ୍ତି।

ଭୋଟର ତାଲିକା ପ୍ରସ୍ତୁତି ପାଇଁ ନିର୍ବାଚନ ଆୟୋଗଙ୍କ ପାଖରେ ଯଥେଷ୍ଟ କର୍ମଚାରୀ ନାହାନ୍ତି। ଜନଗଣନା କାମ ସରିବା ପରେ ସେମାନେ ନିର୍ବାଚନ କାମରେ ନିୟୋଜିତ ହେବେ। ତେଣୁ ପଞ୍ଚାୟତ ଓ ପୌର ନିର୍ବାଚନ ମାସେରୁ ଦେଢ଼ ମାସ ବିଳମ୍ବ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

“ଡିଲିମିଟେସନ ଲୋକ ସଂଖ୍ୟା ଆଧାରରେ ହୁଏ। ଜନଗଣନା କାର୍ଯ୍ୟ ଶେଷ ହେବାକୁ ମାର୍ଚ୍ଚ ହୋଇଯିବ। ତେଣୁ ଡିଲିମିଟେସନ ସହ ପଞ୍ଚାୟତ ଓ ପୌର ନିର୍ବାଚନର କୌଣସି ସମ୍ପର୍କ ନାହିଁ। ୨୦୧୧ର ଡିଲିମିଟେସନ ଅନୁସାରେ ଆମର ନିର୍ବାଚନ କାର୍ଯ୍ୟ କାୟମ ରହିବ,” ବୋଲି ସଚିବ ଶ୍ରୀ ଦାଶ କହିଛନ୍ତି।

ଡିଲିମିଟେସନ ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନ ଘୁଞ୍ଚିବାର କୌଣସି ଅବକାଶ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ରାଜ୍ୟ ନିର୍ବାଚନ ଆୟୋଗ ତାଙ୍କର ସମସ୍ତ ପ୍ରସ୍ତୁତି ଜାରି ରଖିଛନ୍ତି। ଇଭିଏମ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୩ କୋଟିରୁ ଉର୍ଦ୍ଧ୍ଵ ବାଲଟ୍ ପେପର୍ ପାଇଁ ସରକାରୀ ପ୍ରେସକୁ ଅର୍ଡର ଦିଆଯାଇଛି। ବାଲଟ୍ ବକ୍ସ ପାଇଁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଟେଣ୍ଡର କରି ଅର୍ଡର ଦେଇଛି। ଆସନ୍ତା ୪ରୁ ୬ ମାସ ମଧ୍ୟରେ ଆୟୋଗଙ୍କ ପାଖକୁ ଏସବୁ ସାମଗ୍ରୀ ପହଞ୍ଚିଯିବ ବୋଲି ସଚିବ ଶ୍ରୀ ଦାଶ ସୂଚନା ଦେଇଛନ୍ତି।