FeaturedLatestNews

ରଥଯାତ୍ରା ପାଇଁ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ଚଳିତ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଶ୍ରଦ୍ଧାଳୁମାନଙ୍କ ସୁବିଧା ଓ ସୁରକ୍ଷା ଦୃଷ୍ଟିରୁ ୧୭୦୦ ବାୟୋ ଟଏଲେଟ୍, ୮ଟି ଅସ୍ଥାୟୀ ହସ୍ପିଟାଲ୍ ଓ ୬୫ଟି ବୃହତ୍ LED ସ୍କ୍ରିନ୍ର ବ୍ୟବସ୍ଥା କରାଯାଇଛି। ସେହିପରି ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ୪୭୩ଟି ସିସିଟିଭି କ୍ୟାମେରା ଲଗାଯାଇଛି। ୧୬ଟି ସ୍ଥାୟୀ ଟେଲିକମ୍ ଟାୱାର ସହିତ ଦିବ୍ୟାଙ୍ଗ, ବୟୋଜ୍ୟେଷ୍ଠ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନର ସୁବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ୧୯ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ସହ ୧୨ ହଜାର ପୋଲିସ ଓ CAPF କର୍ମଚାରୀ ମୁତୟନ ଅଛନ୍ତି। ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ପାଇଁ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ୬ ତାରିଖରେ ପୁରୀରେ ସମୀକ୍ଷା ବୈଠକ କରିବା ପରେ ଆଜି ଆଉ ଥରେ ଲୋକସେବା ଭବନରେ ବିସ୍ତୃତ ସମୀକ୍ଷା କରାଯାଇଛି।

ଆଜିର ବୈଠକରେ ନୀତିକାନ୍ତିରେ ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଦକ୍ଷ ଓ ଅଭିଜ୍ଞ ଅଧିକାରୀଙ୍କ ପରିଚାଳନାରେ ରଥଯାତ୍ରା ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ସମନ୍ୱୟ ବା କୋ-ଅର୍ଡିନେସନ ଉପରେ ପୁନର୍ବାର ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ପ୍ରତ୍ୟେକ ସ୍ତରରେ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ତଥା ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବାପାଇଁ ନିରନ୍ତର ସୂଚନା ପ୍ରଦାନର ବ୍ୟବସ୍ଥା ରହିବା ଆବଶ୍ୟକ।” କୌଣସି ପରିସ୍ଥିତିରେ ଯେପରି କମ୍ୟୁନିକେସନ ଗ୍ୟାପ୍ ନ ରୁହେ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ସବୁ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

କର୍ଡନ୍ ପରିଚାଳନା, ମହିଳାମାନଙ୍କ ସୁରକ୍ଷା, ସନ୍ଦିଗ୍ଧ ଓ ନିଶା ସେବନକାରୀଙ୍କ ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାଫିକ ବ୍ୟବସ୍ଥା, ଖାଦ୍ୟ ଓ ପାନୀୟ ଜଳର ମାନ ଯାଞ୍ଚ, ଜରୁରୀକାଳୀନ ଇଭାକ୍ୟୁସନ, ପାଣିପାଗକୁ ଦେଖି ଉପଯୁକ୍ତ ପଦକ୍ଷେପ ଆଦି ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଫୁଲ୍-ପ୍ରୁଫ୍ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସୁରକ୍ଷା ବ୍ୟବସ୍ଥା ପାଇଁ ୧୨ ହଜାର ପୋଲିସ ତଥା CAPF କର୍ମଚାରୀ ମୁତୟନ କରାଯାଇଛି। ଏହା ସହିତ କୋଷ୍ଟ ଗାର୍ଡ ଓ ନୌସେନା ମଧ୍ୟ ସଜାଗ ଅଛନ୍ତି। ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ୧୯ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିୟୋଜନ କରାଯାଇଛି।