EducationFeaturedLatestNews

ବି.ଏଡ୍, ଏମ୍.ଏଡ୍ ଓ ବି.ଏଚ୍ଇଡ୍ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଦୁଇ ବର୍ଷିଆ ବି.ଏଡ୍ (B.Ed), ଏମ୍.ଏଡ୍ (M.Ed) ଏବଂ ବି.ଏଚ୍ଇଡ୍ (B.H.Ed) ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶ କରିଛି । ଛାତ୍ରଛାତ୍ରୀମାନେ ଏବେ SAMS ପୋର୍ଟାଲରେ ଲଗ୍ ଇନ୍ କରି ସେମାନଙ୍କର ଫଳାଫଳ ଦେଖିପାରିବେ ।

ପ୍ରକାଶିତ ଫଳ ପ୍ରୋଭିଜନଲ୍ ମାର୍କ ଅଟେ । ଯଦି ଛାତ୍ରଛାତ୍ରୀମାନଙ୍କର ଏହି ମାର୍କକୁ ନେଇ କୌଣସି ଆପତ୍ତି ଥାଏ, ତେବେ ସେମାନେ ୧୦ ଜୁଲାଇ ଅପରାହ୍ନ ୨ ଘଟିକାରୁ ୧୩ ଜୁଲାଇ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ SAMS ପୋର୍ଟାଲର ଅନଲାଇନ୍ ଅବଜେକ୍ସନ ମଡ୍ୟୁଲ ମାଧ୍ୟମରେ ନିଜର ଅଭିଯୋଗ ଦାଖଲ କରିପାରିବେ ।

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଓଡ଼ିଶାରେ ୩୧ଟି ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ରହିଛି । ଏଠାରେ ବି.ଏଡ୍ ପାଇଁ ୨,୪୫୦, ଏମ୍.ଏଡ୍ ପାଇଁ ୩୦୦ ଏବଂ B.H.Ed ପାଠ୍ୟକ୍ରମ ପାଇଁ ୫୦ଟି ସିଟ୍ ଉପଲବ୍ଧ ରହିଛି ।

ବି.ଏଡ୍ ପ୍ରବେଶିକା ପରୀକ୍ଷା ପାଇଁ ୧,୦୯,୮୭୩ ଜଣ ପ୍ରାର୍ଥୀ ଆବେଦନ କରିଥିଲେ ଏବଂ ୯୮,୧୭୦ ଜଣ ପରୀକ୍ଷା ଦେଇଥିଲେ । ଏମ୍.ଏଡ୍ ପାଇଁ ୧,୭୮୮ ଜଣ ପ୍ରାର୍ଥୀ ଆବେଦନ କରିଥିଲେ ଏବଂ ୧,୩୧୮ ଜଣ ପରୀକ୍ଷା ଦେଇଥିଲେ । ସେହିପରି B.H.Ed ପରୀକ୍ଷା ପାଇଁ ୧,୮୭୯ ଜଣ ପ୍ରାର୍ଥୀ ଆବେଦନ କରିଥିଲେ ଏବଂ ୧,୫୪୨ ଜଣ ପରୀକ୍ଷା ଦେଇଥିଲେ ।

ଛାତ୍ରଛାତ୍ରୀମାନଙ୍କ ତରଫରୁ ନିଜର ମାର୍କକୁ ନେଇ ଆସିଥିବା ସମସ୍ତ ଅଭିଯୋଗର ସମାଧାନ ପରେ ଚୂଡ଼ାନ୍ତ ପ୍ରବେଶିକା ପରୀକ୍ଷା ମାର୍କ ପ୍ରକାଶିତ ହେବ । ଏହି ଚୂଡ଼ାନ୍ତ ମାର୍କ ଆଧାରରେ ବି.ଏଡ଼, ଏମ୍. ଏଡ଼ ଏବଂ ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।