FeaturedLatestNews

ଶ୍ରୀଗୁଣ୍ଡିଚା ଯାତ୍ରାରେ ମୁତୟନ ହେବେ ୧୩ ହଜାର ପୋଲିସ କର୍ମଚାରୀ

ପୁରୀ (ସଂକେତ ଟିଭି): ଆସନ୍ତା ୧୧।୭ ତାରିଖ ଗୁରୁବାର ଦିନ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା (ରଥଯାତ୍ରା) ଅନୁଷ୍ଠିତ ହେବ। ଏହି ବିଶାଳ ଯାତ୍ରାକୁ ଶୃଙ୍ଖଳିତ ଏବଂ ସୁରକ୍ଷିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ, ଭକ୍ତଙ୍କ ସୁରକ୍ଷା ଏବଂ ଟ୍ରାଫିକ ସୁପରିଚାଳନା ନେଇ ପୋଲିସ ବିଭାଗ ଉପରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ଏଣୁ ରଥଯାତ୍ରା ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ବୈଠକରେ ପୋଲିସ ମହାନିର୍ଦ୍ଦେଶକ (ଡିଜି) ପୋଲିସ ଅଧିକାରୀମାନଙ୍କୁ ସେମାନଙ୍କର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇଛନ୍ତି।

ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀକ୍ଷେତ୍ରକୁ ଆସିବେ। ଏଣୁ ଶୃଙ୍ଖଳିତ ରଥଯାତ୍ରା ସହିତ ଭକ୍ତଙ୍କୁ ଉତ୍ତମ ସେବା ଏବଂ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ନେଇ କାର୍ଯ୍ୟ କରିବାକୁ ପୋଲିସ ଡିଜି ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜଗନ୍ନାଥଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରି ସମ୍ପୂର୍ଣ୍ଣ ମାନବୀୟ ବ୍ୟବହାର ପ୍ରଦର୍ଶନ କରିବାକୁ ଡିଜିପି ପୋଲିସ ଅଧିକାରୀମାନଙ୍କୁ ସଚେତନ କରାଇଛନ୍ତି।

ପୋଲିସ ଡିଜିଙ୍କ ସୂଚନା ଅନୁସାରେ, ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ୧୩ ହଜାର ପୋଲିସ କର୍ମଚାରୀ ମୁତୟନ ହେବାକୁ ଥିବା ବେଳେ ୧୯ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ପୋଲିସ ପରିଚାଳନାର ଦାୟିତ୍ୱ ଦିଆଯାଇଛି। ସମୁଦ୍ର ପଥରେ ମେରାଇନ୍ ପୋଲିସ, କୋଷ୍ଟ ଗାର୍ଡ ଏବଂ ନୌସେନା (ନ୍ୟାଭି) ରଥଯାତ୍ରାରେ ସୁରକ୍ଷା ଦାୟିତ୍ୱରେ ରହିବେ। ଓଡ଼ିଶା ପୋଲିସ ସହିତ ବିଏସଏଫ, ସିଆରପିଏଫ, ଏନଏସଜି, ରାପିଡ୍ ଆକ୍ସନ୍ ଫୋର୍ସକୁ ମିଶାଇ ୧୫ କମ୍ପାନୀ ସେଣ୍ଟ୍ରାଲ୍ ଫୋର୍ସ, ଓଡ଼ିଶା ପୋଲିସର ଏସଟିଉ କମାଣ୍ଡୋ, ଡଗ ସ୍କ୍ୱାଡ୍ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ଦାୟିତ୍ୱରେ ରହିବେ।

ଆକାଶ ମାର୍ଗରୁ ଡ୍ରୋନ୍ ଦ୍ୱାରା ସମ୍ପୂର୍ଣ୍ଣ ପୁରୀ ସହର ଉପରେ ପୋଲିସ ନଜର ରଖିବ। ରଥଯାତ୍ରାରେ ୪୭୦ଟି ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ସିସିଟିଭି କ୍ୟାମେରା ଦ୍ୱାରା ସମ୍ପୂର୍ଣ୍ଣ ପୁରୀ ସହର ଏବଂ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଉପରେ କଡ଼ା ନଜର ରଖାଯିବ। ଚଳିତବର୍ଷ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ହଜାର ହଜାର ସଂଖ୍ୟାରେ ଯାନବାହାନ ଯାତାୟାତ କରିବ। ଏଣୁ ପୁରୀରେ ୨୭ଟି ସ୍ଥାନରେ ଦୁଇଚକିଆ ଓ ଚାରିଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି।

ପୁରୀ ସହର ଭିତରକୁ ୪ଟି ଜୋନ୍ ଏବଂ ବାହାରକୁ ୫ଟି ଜୋନ୍ରେ ବିଭକ୍ତ କରାଯାଇ ଟ୍ରାଫିକ ସୁପରିଚାଳନା କରାଯିବ। ଭୁବନେଶ୍ୱର ଓ କୋଣାର୍କ ପଟୁ ଆସୁଥିବା ଯାତ୍ରୀବାହୀ ବସ୍ ଗୁଡ଼ିକ ତାଳବଣିଆ ବସଷ୍ଟାଣ୍ଡରେ ଏବଂ ବ୍ରହ୍ମଗିରି ପଟୁ ଆସୁଥିବା ବସ୍ ଗୁଡ଼ିକ ସମଙ୍ଗଠାରେ ପାର୍କିଂ କରିବାକୁ ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନେ ବଡ଼ଦାଣ୍ଡକୁ ଯାତାୟତ କରିବା ପାଇଁ ସଟଲ୍ ବସ୍ ସେବା ଓ ମାଗଣା ଅଟୋ ସେବା ବ୍ୟବସ୍ଥା କରାଯାଇଛି। ତିନୋଟି ସିଫ୍ଟରେ ୨୪ ଘଣ୍ଟା ବରିଷ୍ଠ ଆଇପିଏସ ଅଧିକାରୀମାନେ ଟ୍ରାଫିକ ପରିଚାଳନା ଦାୟିତ୍ୱରେ ରହିବେ। ରଥଯାତ୍ରା ଡ୍ୟୁଟିରେ ଅଭିଜ୍ଞତା ଥିବା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଗତ ୨୦୨୫ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଆଗରେ ଦଳାଚକଟା ହୋଇ ତିନିଜଣ ଭକ୍ତଙ୍କ ଅକାଳ ବିୟୋଗ ଘଟିଥିଲା। ଏହି ଘଟଣା ପରେ ବ୍ୟବସ୍ଥାରେ ଥିବା ତ୍ରୁଟି ବିଚ୍ୟୁତିର ସମୀକ୍ଷା କରାଯାଇ ଚଳିତବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଛି। ଅଘଟଣ ମୁକ୍ତ ରଥଯାତ୍ରା ଆୟୋଜନ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି।

Leave a Reply

Your email address will not be published. Required fields are marked *