୨୬ ବର୍ଷ ପରେ ଅଗଷ୍ଟ ୧୫ରେ ମୁକ୍ତ ହେବ ଦାରା ସିଂହ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର (ସଂକେତ ଟିଭି): ଦୀର୍ଘ ୨୬ ବର୍ଷ ଧରି କାରାଗାରରେ ବନ୍ଦୀ ରହିଥିବା ବହୁଚର୍ଚ୍ଚିତ କଏଦୀ ଦାରା ସିଂହ ଓରଫ ରବୀନ୍ଦ୍ର କୁମାର ପାଲ ଆଗାମୀ ଅଗଷ୍ଟ ୧୫ ତାରିଖରେ ଜେଲ୍ ପ୍ରାଚୀରରୁ ମୁକୁଳିବାକୁ ଯାଉଛନ୍ତି। ସୁପ୍ରିମକୋର୍ଟ ତାଙ୍କୁ ଏହି ନିର୍ଦ୍ଦିଷ୍ଟ ଦିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ତାଙ୍କ ପାଇଁ ଏକ ଐତିହାସିକ ମୁକ୍ତି ହେବାକୁ ଯାଉଛି।
ଦାରା ସିଂହଙ୍କ ମୁକ୍ତି ପାଇଁ ଦାରା ସେନା ପକ୍ଷରୁ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା। ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କ ଯୁଗ୍ମ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଶେଷ ହୋଇଛି। କୋର୍ଟ ତାଙ୍କୁ ଅଗଷ୍ଟ ୧୫ ସୁଦ୍ଧା ଜେଲ୍ରୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ଜୁଲାଇ ୬ ତାରିଖରେ ଅନୁଷ୍ଠିତ ‘ଷ୍ଟେଟ ରିଭ୍ୟୁ ବୋର୍ଡ’ ବୈଠକରେ ଦାରା ସିଂହଙ୍କ ଭଲ ଆଚରଣ ଏବଂ ଦୀର୍ଘ ଦିନର ସଜା କାଟିବା ଆଧାରରେ ତାଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ପରେ ଦାରା ସେନା ପକ୍ଷରୁ ଆଇନଗତ ପ୍ରକ୍ରିୟା ଆଗଭର କରାଯାଇଥିଲା।
ଏହି ଗୁରୁତ୍ୱପୂର୍ଣ୍ଣ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଏ. ପି. ସିଂହ ସୁପ୍ରିମକୋର୍ଟ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି। ତେବେ ମାମଲାରେ କିଛି ବୈଷୟିକ (Technical) ସମସ୍ୟା ରହିଛି। ଦାରା ସିଂହ ମୂଳତଃ ଉତ୍ତର ପ୍ରଦେଶର ବାସିନ୍ଦା ହୋଇଥିବାରୁ ତାଙ୍କର ସ୍ଥାନୀୟ ପ୍ରଶାସନିକ ଯାଞ୍ଚ କରିବାରେ ଅସୁବିଧା ଦେଖାଦେଉଛି।
ଏସବୁ ସତ୍ତ୍ୱେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଅଗଷ୍ଟ ୧୫ରେ ଛଡ଼ାଯିବାର ସମ୍ଭାବନା ଅଧିକ ରହିଛି। ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ଅଗଷ୍ଟ ୧୯ ତାରିଖରେ ଧାର୍ଯ୍ୟ କରାଯାଇଛି। ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଓଡ଼ିଶା ସରକାର ତାଙ୍କୁ ଜେଲ୍ରୁ ନ ଛାଡ଼ନ୍ତି, ତେବେ ସୁପ୍ରିମକୋର୍ଟ ଏହା ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରିଛନ୍ତି।
