୮ ମହିଳାଙ୍କ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗ୍ ଭୁବନେଶ୍ୱରରେ ଗିରଫ
ଭୁବନେଶ୍ୱର (ସଂକେତ ଟିଭି): ରାଜଧାନୀ ଭୁବନେଶ୍ୱରରେ କୃତ୍ରିମ ଭିଡ଼ ସୃଷ୍ଟି କରି ଚୋରି କରୁଥିବା ୮ ଜଣିଆ ଆନ୍ତଃରାଜ୍ୟ ମହିଳା ଚୋର ଗ୍ୟାଙ୍ଗକୁ କମିଶନରେଟ୍ ପୋଲିସ ଗିରଫ କରିଛି। ନୟାପଲ୍ଲୀ ଥାନା ପୋଲିସ ଆଜି (ଶୁକ୍ରବାର) ଏହି ଅଭିଯୁକ୍ତାମାନଙ୍କୁ ଧରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ୧୦ଟି ମୋବାଇଲ ଫୋନ୍ ଜବତ କରାଯାଇଛି।
ଏହି ଚୋରୀ ଗ୍ୟାଙ୍ଗର ସମସ୍ତ ସଦସ୍ୟା ମହାରାଷ୍ଟ୍ରର ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି। କିଛିମାସ ହେଲା ସେମାନେ ଭୁବନେଶ୍ୱର ଆସି ମାଷ୍ଟରକ୍ୟାଣ୍ଟିନ ନିକଟରେ ରହୁଥିଲେ। ଗିରଫ ଅଭିଯୁକ୍ତାମାନେ ହେଲେ: ମଙ୍ଗଳା ଅଶୋକ, ମୀନା ନିକେଶ ସିନ୍ଦେ, ରେଣୁ ଲଣ୍ଡେ, ନନୁ ବିରାଜ ପତ୍ରେ, ରାଣୀ ଅନିଲ୍କ ବିଷେ, ସପ୍ନା ପତ୍ରେ, ରତ୍ନା ଲଣ୍ଡେ ଓ ଚକୋଲି ଲଣ୍ଡେ।
ଏହି ଘଟଣାରେ ନୟାପଲ୍ଲୀ ଥାନାରେ ଚୋରି ମାମଲା (ନଂ.୫୮୦/୨୦୨୬) ରୁଜୁ କରାଯାଇଛି। ଅଭିଯୁକ୍ତାମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା ଏବଂ ଜାମିନ ନାମଞ୍ଜୁର ହେବା ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ସନ୍ଦେହ କରୁଛି ଯେ, ଏହି ଗ୍ୟାଙ୍ଗର ଆଉ କିଛି ସଦସ୍ୟା ରାଜଧାନୀରେ ଲୁଚି ରହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଚୋରି ପାଇଁ ଏହି ଗ୍ୟାଙ୍ଗ ଅତ୍ୟନ୍ତ ଅଭିନବ ଉପାୟ ଆପଣାଉଥିଲା। ସେମାନେ କୃତ୍ରିମ ଭିଡ଼ ସୃଷ୍ଟି କରି ଅତି ଚତୁରତାର ସହ ଲୋକଙ୍କ ଭ୍ୟାନିଟି ବ୍ୟାଗ୍, ମୋବାଇଲ, ସୁନା ଚେନ୍ ଓ ଟଙ୍କା ଚୋରି କରୁଥିଲେ। ଗତକାଲି ଇସ୍କନ ରଥଯାତ୍ରା ସମୟରେ ମଧ୍ୟ ସେମାନେ ଚୋରି କରୁଥିବା ବେଳେ ପୋଲିସ ଭିଡ଼ ମଝିରୁ ଦୁଇ ଜଣ ମହିଳାଙ୍କୁ ଧରିଥିଲା। ପରେ ପଚରାଉଚରା କରିବାରୁ ସମଗ୍ର ଗ୍ୟାଙ୍ଗର ଖୁଲାସା ହୋଇଥିଲା।
