FeaturedLatestNews

ଗ୍ୟାସ ଟାଙ୍କି ଫାଟି ଜଳିଗଲା ରେସ୍ତୋରାଁ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ସହର ଡିଆଇସି ଛକ ନିକଟସ୍ଥ ଏକ ରେସ୍ତୋରାଁରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ପ୍ରାୟ ସାଢ଼େ ୧୦ଟା ସମୟରେ ରେସ୍ତୋରାଁରେ ଥିବା ଗ୍ୟାସ୍ ଟାଙ୍କି ଫାଟିଯିବା ପରେ ହଠାତ୍ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଦେଖୁ ଦେଖୁ ନିଆଁ ରେସ୍ତୋରାଁର ବିଭିନ୍ନ ଅଂଶକୁ ବ୍ୟାପିଯାଇଥିଲା।

ଅଗ୍ନିକାଣ୍ଡରେ ରେସ୍ତୋରାଁଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ନିକଟରେ ଥିବା କିଛି ଗାଡ଼ି ମଧ୍ୟ ନିଆଁରେ ପୋଡ଼ି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରୁ ଧୂଆଁର ମୋଟା ଆସ୍ତରଣ ଦୂରରୁ ଦେଖିବାକୁ ମିଳିଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇ ବାଲେଶ୍ୱର ଅଗ୍ନିଶମ ବାହିନୀର ୪ଟି ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିଲେ। ପ୍ରାୟ ୨ ଘଣ୍ଟା ପରେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇପାରିଥିଲା। ଗ୍ୟାସ୍ ଟାଙ୍କି ବିସ୍ଫୋରଣ ପରେ ଅନ୍ୟ ଟାଙ୍କିକୁ ପ୍ରଥମେ ଅଗ୍ନିଶମ ବାହିନୀ ସତର୍କତାର ସହ ବାହାର କରିଦେଇଥିଲା।

ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ କୌଣସି ଜୀବନହାନି ହୋଇନାହିଁ। ଏହି ଅଗ୍ନିକାଣ୍ଡରେ ସେହି ରେଷ୍ଟୁରାଣ୍ଡ ସମେତ ପାଖରେ ଥିବା ଏକ ଇନସ୍ୟାରେନ୍ସ ଏଜେଣ୍ଟଙ୍କ ଦୋକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁଇଟି ସ୍କୁଟର ମଧ୍ୟ ପୋଡିଯାଇଥିବା ଜଣାପଡିଛି। ତେବେ ଅଗ୍ନିକାଣ୍ଡରେ ମୋଟ କେତେ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି ତାହା ଜଣା ପଡିନଥିବାବେଳେ ଏହାର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ଆକଳନ କରାଯାଉଛି।

Leave a Reply

Your email address will not be published. Required fields are marked *