FeaturedLatestNews

ଖୁବଶୀଘ୍ର ସମାଧାନ ହେବ ମହାନଦୀ ଜଳ ବିବାଦ: ଛତିଶଗଡ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ମହାନଦୀ ଜଳ ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ କହିଛନ୍ତି। ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାନଦୀ ନେଇ କୌଣସି ବିବାଦ ନାହିଁ କିମ୍ବା ସମସ୍ୟା ନାହିଁ। ଦୁଇ ରାଜ୍ୟରେ ବିଜେପି ଏବଂ କେନ୍ଦ୍ରରେ ବିଜେପି ସରକାର ଥିବାରୁ କୌଣସି ବିବାଦୀୟ ସ୍ଥିତି ନାହିଁ ବୋଲି ସେ କହିଛନ୍ତି।

ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମଙ୍କୁ ସମ୍ବୋଧିତ କରି ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାନଦୀ ନେଇ ଦୁଇ ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀମାନେ ଦିଲ୍ଲୀରେ ଆଲୋଚନା କରିସାରିଛନ୍ତି। ସେଠାରେ ଦୁଇ ମୁଖ୍ୟମନ୍ତ୍ରୀ ସିଡବ୍ଲୁସିକୁ ସହମତି ଦେଇଛନ୍ତି ଏବଂ ଦୁଇ ରାଜ୍ୟ ପାଇଁ ଯାହା ହିତକର ହେବ, ସିଡବ୍ଲୁସିର ନିର୍ଦ୍ଦେଶକୁ ମାନିବେ ବୋଲି ସେ କହିଛନ୍ତି। ବିଜେପି ସରକାର ଆସିବା ପରେ ଯେଉଁ ସବୁ ରାଜ୍ୟରେ ଜଳ ବିବାଦ ଥିଲା, ତାର ସମାଧାନ ହେଉଛି ବୋଲି ସେ ଦର୍ଶାଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନରେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଆଲୋଚନା ପରେ ବିଷ୍ଣୁ ଦେଓ ସାଏ ନିଜ ଏକ୍ସ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ପାରସ୍ପରିକ ସହଯୋଗ, ବିକାଶ ଏବଂ ଜନକଲ୍ୟାଣ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ନେଇ ସାର୍ଥକ ଆଲୋଚନା ହୋଇଛି।

ଦୁଇ ରାଜ୍ୟ ମଧ୍ୟରେ ରହିଥିବା ପାରସ୍ପରିକ ସହଯୋଗକୁ ଆହୁରି ଗତିଶୀଳ କରିବା ସହ ଜନସ୍ୱାର୍ଥ ଓ ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ ନିରନ୍ତର ଆଗକୁ ବଢ଼ିବା ପାଇଁ ଏହି ଅବସରରେ ସଂକଳ୍ପବଦ୍ଧତା ପ୍ରକାଶ ପାଇଛି। ଦୁଇ ରାଜ୍ୟର ଉନ୍ନତି ଓ ଜନକଲ୍ୟାଣ ପାଇଁ ସମନ୍ୱୟ ଏବଂ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏକ୍ସରେ ସୂଚନା ଦେଇଛନ୍ତି ଯେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଏବଂ ଲୋକଙ୍କ ବିକାଶ ଓ କଲ୍ୟାଣ ଦିଗରେ ମିଳିତ ପ୍ରତିଶ୍ରୁତିକୁ ଆଗକୁ ବଢ଼ାଇବା ସମ୍ପର୍କରେ ଦୁଇ ମଧ୍ୟରେ ଏକ ଫଳପ୍ରଦ ଆଲୋଚନା ହୋଇଛି।

ଏପଟେ କିନ୍ତୁ ମହାନଦୀ ନେଇ ରାଜନୈତିକ ବୟାନବାଜି ତେଜିଛି। ଦୀର୍ଘ ଦଶ ବର୍ଷ ଧରି ଚାଲିଥିବା ଓଡିଶା-ଛତିଶଗଡ ମହାନଦୀ ଜଳ ବିବାଦ ସମାଧାନ ଆଡକୁ ଯାଉଥିବା ଏହି ପ୍ରତିକ୍ରିୟା ପରେ ଜଣାପଡୁଛି।

Leave a Reply

Your email address will not be published. Required fields are marked *