FeaturedLatestNews

ଜଗତସିଂହପୁର ଓ ଝାରସୁଗୁଡ଼ା ଜିଲ୍ଲା କୋର୍ଟରେ ବୋମା ଆତଙ୍କ

ଭୁବନେଶ୍ୱର (ସଂକେତ ଟିଭି): ଜଗତସିଂହପୁର ଓ ଝାରସୁଗୁଡ଼ା ଜିଲ୍ଲା କୋର୍ଟଙ୍କୁ ଶୁକ୍ରବାର ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି। ଏହି ପରିପ୍ରେକ୍ଷୀରେ, ଜଗତସିଂହପୁର ଜିଲ୍ଲା ଦୌରାଜଜ୍ଙ୍କ କାର୍ଯ୍ୟାଳୟକୁ ଇ-ମେଲ୍ ଯୋଗେ ଧମକ ଆସିଥିବା ଜଣାପଡ଼ିଛି। ମେଲରେ କୋର୍ଟ ଅଫିସ୍, ଜଜ୍ ଚାମ୍ବର ସହିତ ସମ୍ପୂର୍ଣ୍ଣ କୋର୍ଟ ପରିସରକୁ ବୋମାରେ ଉଡ଼ାଇ ଦେବାକୁ କୁହାଯାଇଛି।

ଏହି ଧମକକୁ ନେଇ ଜଗତସିଂହପୁର କୋର୍ଟ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଖବର ପାଇ ସମସ୍ତ ଆଇନଜୀବୀ ଓ କର୍ମଚାରୀ ଭୟରେ କୋର୍ଟ ବାହାରକୁ ପଳାଇ ଆସିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି, ସନ୍ଧାନୀ କୁକୁର ଓ ବମ୍ ସ୍କ୍ବାଡ୍ ସହିତ କୋର୍ଟ ପରିସରରେ ଛାନଭିନ ଆରମ୍ଭ କରିଛି। ତେବେ ଏହି ଇ-ମେଲ୍ କିଏ ପଠାଇଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ସେହିଭଳି, ଝାରସୁଗୁଡ଼ା ଜିଲ୍ଲା କୋର୍ଟକୁ ମଧ୍ୟ ବୋମା ଧମକପୂର୍ଣ୍ଣ ଇ-ମେଲ୍ ଆସିଛି। ଜିଲ୍ଲା ଜଜ୍ଙ୍କ କାର୍ଯ୍ୟାଳୟକୁ ଆସିଥିବା ଏହି ଧମକ ଯୋଗୁଁ କୋର୍ଟ ପରିସରରେ ଆତଙ୍କ ଖେଳିଯାଇଥିଲା। ସୁରକ୍ଷା ଦୃଷ୍ଟିରୁ, ଝାରସୁଗୁଡ଼ା ଜିଲ୍ଲା ବାର୍ ଆସୋସିଏସନ୍ ପକ୍ଷରୁ ସମସ୍ତ ଓକିଲ ଓ କର୍ମଚାରୀଙ୍କୁ ତୁରନ୍ତ କୋର୍ଟ ପରିସର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହାସହିତ, ପରବର୍ତ୍ତୀ ସୂଚନା ନଆସିବା ପର୍ଯ୍ୟନ୍ତ ସୁରକ୍ଷା କର୍ମୀ ଓ ସ୍ଥାନୀୟ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବାକୁ ବାର୍ ଆସୋସିଏସନ୍ ପକ୍ଷରୁ ଅନୁରୋଧ କରାଯାଇଛି। ଖବର ପାଇ ପୋଲିସ ଝାରସୁଗୁଡ଼ା କୋର୍ଟ ପରିସରରେ ପହଞ୍ଚି ତନଖି ଆରମ୍ଭ କରିଛି। ଉଭୟ କୋର୍ଟରେ ଏହି ଧମକକୁ ଗମ୍ଭୀରତାର ସହ ନେଇ ତଦନ୍ତ ଜାରି ରଖିଛି ପୋଲିସ।