ମୁଖ୍ୟମନ୍ତ୍ରୀଙ୍କ ୧୯ମ ଅଭିଯୋଗ ଶୁଣାଣି, ୯୬% ସମସ୍ୟାର ସମାଧାନ ହୋଇଥିବା ଦାବି
ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ନିଜର ୧୯ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ସାଧାରଣ ଲୋକଙ୍କ ସମସ୍ୟା ଶୁଣିଛନ୍ତି। ଏହି ଅବସରରେ ଗୁରୁତର ରୋଗରେ ପୀଡ଼ିତ ୧୨ ଜଣ ରୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ କରିଛନ୍ତି, ଯାହା ଦ୍ଵାରା ସେମାନେ ଶୀଘ୍ର ଚିକିତ୍ସା ପାଇପାରିବେ।
ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ଓ ସମାଧାନ କରିବା ଏହି ଅଭିଯୋଗ ଶୁଣାଣିର ମୁଖ୍ୟ ଲକ୍ଷ୍ୟ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ୬ ଜଣ ମନ୍ତ୍ରୀ ଏବଂ ବରିଷ୍ଠ ସଚିବମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିବା ସହ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଅନଲାଇନ ଓ ଅଫଲାଇନ୍ ମାଧ୍ୟମରେ ପ୍ରାୟ ୭୦୦ ଲୋକ ନିଜର ଅଭିଯୋଗ ନେଇ ଆସିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ସମୁଦାୟ ୧୪୯୪୧ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ୯୬% ସମସ୍ୟାର ସମାଧାନ କରାଯାଇଛି। ଏହି ଦକ୍ଷ ପରିଚାଳନା ଯୋଗୁଁ ସାଧାରଣ ଲୋକଙ୍କ ମଧ୍ୟରେ ସରକାରଙ୍କ ପ୍ରତି ଆସ୍ଥା ବୃଦ୍ଧି ପାଇଛି।
ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣି ବ୍ୟତୀତ ଜିଲ୍ଲା ଓ ବ୍ଲକ୍ ସ୍ତରରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହିଛି। ଜିଲ୍ଲା ସ୍ତରରେ ୮୯% ଅଭିଯୋଗର ଶୁଣାଣି କରାଯାଇ ସମାଧାନ କରାଯାଇଥିବା ବେଳେ ବ୍ଲକ୍ ସ୍ତରରେ ମଧ୍ୟ ସମାନ ପ୍ରକ୍ରିୟା ଜାରି ରହିଛି। ‘ଲୋକଙ୍କ ସରକାର’ ଭାବେ କାର୍ଯ୍ୟ କରୁଥିବା ଏହି ସରକାର ଲୋକଙ୍କ କଥାକୁ ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
