CrimeFeaturedLatestNews

ବାଲେଶ୍ଵର ବ୍ୟାଙ୍କ ଡକାୟତି ମାମଲାରେ ୩ ଅଭିଯୁକ୍ତ ଗିରଫ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ଵର ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଡକାୟତି ମାମଲାରେ ପଶ୍ଚିମବଙ୍ଗ ସମ୍ପର୍କ ଥିବା ଜଣାପଡ଼ିଛି। ଏହି ଘଟଣାରେ ସଦର ଥାନା ପୁଲିସ ପଶ୍ଚିମବଙ୍ଗ ଏବଂ ବାଲେଶ୍ୱରରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ମାମଲାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି।

ଗତ ଜୁଲାଇ ୧୪ ତାରିଖ ଦିନ ଅପରାହ୍ନ ପ୍ରାୟ ୨ଟା ୪୫ ମିନିଟ୍ ସମୟରେ ୫ ଜଣ ଦୁର୍ବୃତ୍ତ ଦୁଇଟି ମୋଟରସାଇକେଲରେ ଆସି ରସାଳପୁରସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ପଶିଥିଲେ। ସେମାନେ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଗ୍ରାହକଙ୍କୁ ଭୟଭୀତ କରିବା ସହ ଷ୍ଟ୍ରଙ୍ଗ ରୁମ୍ ଖୋଲିବାକୁ ବାଧ୍ୟ କରିଥିଲେ।

ଡକାୟତମାନେ ସୁରକ୍ଷା ଅଲାରାମ୍ କାଟିବା ସହ ସିସିଟିଭିର ହାର୍ଡଡିସ୍କକୁ ମଧ୍ୟ ନଷ୍ଟ କରି ୨ ଲକ୍ଷ ୧୩ ହଜାର ୩୧୦ ଟଙ୍କା ଲୁଟି ନେଇଥିଲେ। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପ୍ରଥମେ ପୁଲିସ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ବାପି ମୋଲ୍ଲା ଓରଫ୍ ଓକିୟାବୁଲ ହକକୁ ଗିରଫ କରିଥିଲା।

ପରେ ପରେ ପୋଲିସ ଜୋହାନ୍ ଅଲି ମୋଲ୍ଲା ଏବଂ ବାଲେଶ୍ୱର ଖନ୍ତାପଡ଼ା ଅଞ୍ଚଳର ସତ୍ୟବାନ ରଣାକୁ ମଧ୍ୟ ଗିରଫ କରିଛି। ଅଭିଯୁକ୍ତ ବାପି ମୋଲ୍ଲାଠାରୁ ୭,୫୦୦ ଟଙ୍କା ନଗଦ ଜବତ କରାଯାଇଛି। ଘଟଣାସ୍ଥଳରୁ ଲୁଟ୍ ପାଇଁ ବ୍ୟବହୃତ କଟର ମଧ୍ୟ ଜବତ କରାଯାଇଛି।

ଏହି ବ୍ୟାଙ୍କ ଡକାୟତି ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରଖିଥିବା ଅତିରିକ୍ତ ଏସପି ଦେବଜ୍ୟୋତି ଦାଶ କହିଛନ୍ତି।