FeaturedLatestNews

୫୫ ନମ୍ବର ଜାତୀୟ ରାଜପଥର ତୁରନ୍ତ ମରାମତି ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଡ଼କରୀଙ୍କୁ ଚିଠି

ଭୁବନେଶ୍ୱର (ସଂକେତ ଟିଭି): ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏନ୍ ଏଚ୍-୫୫ ରାସ୍ତାର ତୁରନ୍ତ ମରାମତି ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଏକ ଜରୁରୀ ଚିଠି ଲେଖିଛନ୍ତି। ସମ୍ବଲପୁରରୁ କଟକ ମଧ୍ୟରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ପ୍ରତି ଧ୍ୟାନ ଆକର୍ଷଣ କରି ସେ ତୁରନ୍ତ ମରାମତି ଓ ଖାଲ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଓଡ଼ିଶାର ପ୍ରମୁଖ ପରିବହନ ଓ ଲଜିଷ୍ଟିକ୍ସ କରିଡର ଭାବେ ପରିଚିତ ୫୫ ନମ୍ବର ଜାତୀୟ ରାଜପଥ ସମ୍ବଲପୁର, ଅନୁଗୋଳ ଓ କଟକକୁ ଯୋଡ଼ିଥାଏ। ଏହା ରାଜ୍ୟର ଅନ୍ୟତମ ମୁଖ୍ୟ ଜୀବନରେଖା ହୋଇଥିବା ବେଳେ ଲଗାଣ ବର୍ଷା ଓ ଅତ୍ୟଧିକ ଯାନବାହନ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। କେତେକ ସ୍ଥାନରେ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଯାତ୍ରୀ ଓ ପଣ୍ୟବାହୀ ଯାନବାହନ ଚଳାଚଳରେ ଗୁରୁତର ଅସୁବିଧା ହେଉଛି।

ଚିଠିରେ ଧର୍ମେନ୍ଦ୍ର ପ୍ରଧାନ ଏହାଦ୍ୱାରା ସ୍ଥାନୀୟ ଜନସାଧାରଣ ଓ ନିୟମିତ ଯାତାୟାତ କରୁଥିବା ଲୋକେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଥିବା ଉଲ୍ଲେଖ କରିଛନ୍ତି। ସେ ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥର ତୁରନ୍ତ ରକ୍ଷଣାବେକ୍ଷଣ, ମରାମତି ଓ ଖାଲଢିପ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଆବଶ୍ୟକ ବୋଲି ଅନୁରୋଧ କରିଛନ୍ତି।