CulturalFeaturedLatestNews

ନଭେମ୍ବର ୨୪ରୁ କଟକ ବାଲିଯାତ୍ରା; ଏଥର ଉପର ଓ ତଳ ପଡ଼ିଆରେ ବିଶ୍ୱପ୍ରସିଦ୍ଧ ମହୋତ୍ସବ

କଟକ (ସଂକେତ ଟିଭି) କଟକ ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ପ୍ରଶାସନିକ ସଜବାଜ ଆରମ୍ଭ ହୋଇଯାଇଛି। ଆସନ୍ତା ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ବାର୍ଷିକ ବାଣିଜ୍ୟିକ ଓ ସାଂସ୍କୃତିକ ମହାକୁମ୍ଭ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇସାରିଛି। ବୈଠକ ପରେ କଟକ ଜିଲ୍ଲାପାଳ ଯାତ୍ରାର ଆୟୋଜନ, ଟ୍ରାଫିକ୍ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଏହାସହିତ ଏଥର ପାର୍କିଂ ସ୍ଥଳ ବୃଦ୍ଧି, ବଲିଉଡ୍ କଳାକାରଙ୍କ ଆଗମନ ଏବଂ ସ୍ୱତନ୍ତ୍ର ‘ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍’ ଯୋଜନା ରହିଛି।

ଏଥର ଉପର ଓ ତଳ ପଡ଼ିଆ ଉଭୟ ସ୍ଥାନରେ ବାଲିଯାତ୍ରା ଆୟୋଜନ କରିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ତେବେ ଏହା ଉପରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ ଅନ୍ତିମ ନିଷ୍ପତ୍ତି ନିଆଯିବ। ବ୍ୟବସାୟୀଙ୍କ ଲାଭ ଓ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଜନସାଧାରଣଙ୍କଠାରୁ ମଧ୍ୟ ପ୍ରସ୍ତାବ ମଗାଯାଇଛି।

ଗତବର୍ଷ ବାଲିଯାତ୍ରା ପଡ଼ିଆରେ ଘଟିଥିବା ଭୟଙ୍କର ଦୋଳି ଅଘଟଣକୁ ସାମ୍ନାକୁ ରଖି ଏଥର କଟକ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଗତବର୍ଷ ଏକ ଦୋଳି ହଠାତ୍ ଅଚଳ ହୋଇଯିବା ଯୋଗୁଁ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ୮ ଜଣ ଦର୍ଶକ ଆକାଶରେ ଝୁଲି ରହି ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଥିଲେ। ଏହି ସମ୍ବେଦନଶୀଳ ଘଟଣାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ, ଏଥର ବାଲିଯାତ୍ରାରେ କୌଣସି ପୁରୁଣା ଦୋଳି ଲଗାଇବାକୁ ଆଦୌ ଅନୁମତି ଦିଆଯିବ ନାହିଁ।

ପ୍ରତିବର୍ଷ ବାଲିଯାତ୍ରାରେ ଦେଖାଦେଉଥିବା ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏଥର ବିଶେଷ ପ୍ଲାନ୍ କରାଯାଇଛି। ଚହାଟା ରୋଡ୍‌ର ଗୋଟିଏ ପାର୍ଶ୍ୱକୁ ସମ୍ପୂର୍ଣ୍ଣ ପାର୍କିଂ ପାଇଁ ବ୍ୟବହାର କରାଯିବ ଓ ଅନ୍ୟ ପାର୍ଶ୍ୱରେ ଟ୍ରାଫିକ୍ ଚାଲିବ। ଗତବର୍ଷ ଅପେକ୍ଷା ପାର୍କିଂ ସ୍ଥଳ ଯଥେଷ୍ଟ ବୃଦ୍ଧି ପାଇବ। ମହାନଦୀ ବକ୍ଷରେ ପ୍ରତିଦିନ ଜଳକ୍ରୀଡ଼ା ଓ ବୋଟ୍ ରେସ୍ ଆୟୋଜିତ ହେବ। ଦର୍ଶକଙ୍କୁ ଅପରାହ୍ନ ପୂର୍ବରୁ ଆକୃଷ୍ଟ କରିବା ପାଇଁ ପ୍ରତିଦିନ ସ୍ୟାଣ୍ଡ ଆର୍ଟ, ମହାନଦୀ ପେଣ୍ଟିଂ ଓ ଫ୍ଲାୱାର ଶୋ’ ଭଳି ସ୍ୱତନ୍ତ୍ର ‘ଡେ-ଏଙ୍ଗେଜମେଣ୍ଟ’ ଥିମ୍ ରଖାଯିବ। ବାଲିଯାତ୍ରାରେ ଲେଜର ଶୋ’ ଓ ଫାୟାର ୱାର୍କସ୍ ସହ ଦୁଇଟି ପ୍ରମୁଖ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ।

୧୫ରୁ ଉର୍ଦ୍ଧ୍ୱ ରାଜ୍ୟର ଲୋକକଳାକାରଙ୍କ ସହ ବଲିଉଡ୍ ଓ ଓଲିଉଡ୍ ଆର୍ଟିଷ୍ଟମାନେ ସଙ୍ଗୀତ ପରିବେଷଣ କରିବେ। ଏଥର ପୁରୁଣା ଇନଷ୍ଟଲେସନକୁ ବ୍ୟାନ୍ କରାଯିବ। ପ୍ରତି ଷ୍ଟଲ୍ ପାଇଁ ଫାୟାର୍, ଇଲେକ୍ଟ୍ରିକାଲ୍, ଷ୍ଟ୍ରକ୍ଚରାଲ୍ ଓ ମେକାନିକାଲ୍ ସେଫ୍ଟି— ଏହି ୪ଟି ସେଫ୍ଟି ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି। ଏହାସହ ବାଲିଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ‘ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍’ (Disaster Management Plan) ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ।