ପୂର୍ବତନ ଡିଜିପି ଖୁରାନିଆଙ୍କୁ ହାଇକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ୍
କଟକ ୨୭।୮: ଓଡ଼ିଶା ହାଇକୋର୍ଟ ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ତାଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା କାହିଁକି ରୁଜୁ ନହେବ, ସେନେଇ କୋର୍ଟ କୈଫତ ଲୋଡ଼ିଛନ୍ତି। ବାରମ୍ବାର ସୁଯୋଗ ସତ୍ତ୍ୱେ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନକରିବା ଏବଂ ମାମଲା ସମ୍ପର୍କିତ ବିଭ୍ରାନ୍ତିମୂଳକ ସତ୍ୟପାଠ ଦାଖଲ କରିବା ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ୱର ସହ ନେଇ ଏହି ନିର୍ଦ୍ଦେଶ ଦେଇଛନ୍ତି।
୨୦୨୫, ସେପ୍ଟେମ୍ବର ୨୫ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶକୁ ଖୁରାନିଆ ଜାଣିଶୁଣି ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି। ତେଣୁ ଅଦାଲତ ଅବମାନନା ଆଇନର ଧାରା ୧୨ ଅନୁଯାୟୀ, ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେନେଇ କାରଣ ଦର୍ଶାଇବାକୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଯୋଗେଶ ବାହାଦୂର ଖୁରାନିଆ ଅବସର ନେଇ ସାରିଥିବାରୁ ପୋଲିସ ଆଇଜି (ପର୍ସୋନେଲ) ତାଙ୍କୁ ଏହି ନୋଟିସ୍ ପ୍ରଦାନ କରିବେ।
କାରଣ ଦର୍ଶାଅ ନୋଟିସ୍ ପାଇବାର ୭ ଦିନ ଭିତରେ ପୂର୍ବତନ ଡିଜିପି ଜବାବ ରଖିବେ ବୋଲି ହାଇକୋର୍ଟ ଶୁଣାଣିରେ ସ୍ପଷ୍ଟ କରିଛନ୍ତି। ଚାକିରିରୁ ଛଟେଇ ହୋଇଥିବା ସାଗରିକା ପରିଡ଼ା ନାମକ ମହିଳା ପୋଲିସ ଅଫିସରଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ପଦକ୍ଷେପ ନେଇଛନ୍ତି। ସାଗରିକାଙ୍କୁ ପୁନଃ ଅବସ୍ଥାପିତ କରିବା ଲାଗି ଗତବର୍ଷ ସେପ୍ଟେମ୍ବରରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
କିନ୍ତୁ ତାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ, ପୂର୍ବତନ ଡିଜିପି ଖୁରାନିଆ କୋର୍ଟଙ୍କୁ ବିଭ୍ରାନ୍ତିକର ତଥ୍ୟ, ତାହା ପୁଣି ସତ୍ୟପାଠ ଜରିଆରେ ପ୍ରଦାନ କରିଥିବା ନେଇ ଅଭିଯୋଗ ହୋଇଛି। ଖୁରାନିଆ ଗତ ୧୬ ତାରିଖରେ ଡିଜିପି ପଦରୁ ଅବସର ନେଇ ସାରିଥିଲେ ମଧ୍ୟ, ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
୪ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ଚାକିରିରେ ପୁନଃସ୍ଥାପିତ ସମ୍ପର୍କିତ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ସୁନିଶ୍ଚିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏଥିରେ ଅବହେଳା ହୁଏ, ତେବେ ଭାରପ୍ରାପ୍ତ ଡିଜିପି ଓ ଆଇଜି (ପର୍ସୋନେଲ) ସେପ୍ଟେମ୍ବର ୨୮ ତାରିଖରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବେ ବୋଲି ହାଇକୋର୍ଟ କହିଛନ୍ତି।
