୭୭୫ ବରିଷ୍ଠ ନାଗରିକଙ୍କ ବାରାଣସୀ-ଅଯୋଧ୍ୟା ତୀର୍ଥ ଯାତ୍ରା ଶୁଭାରମ୍ଭ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ଦୁର୍ବଳ ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟୋଜିତ ତୀର୍ଥ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ଆଜି ଭୁବନେଶ୍ୱରର ପଟିଆ ନୂତନ ରେଳ ଷ୍ଟେସନରୁ ୭୭୫ ଜଣ ବରିଷ୍ଠ ନାଗରିକ ବାରାଣସୀ ଓ ଅଯୋଧ୍ୟା ଅଭିମୁଖେ ରେଳଯୋଗେ ଯାତ୍ରା କରିଛନ୍ତି।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପତାକା ଦେଖାଇ ଏହି ତୀର୍ଥ ଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ବାଇଁ ମଧ୍ୟ ଉପସ୍ଥିତ ରହି ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ୨୫ ଜଣ ଅଧିକାରୀ ମଧ୍ୟ ସେମାନଙ୍କ ସହ ଯାତ୍ରା କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୬୯, ଜଗତସିଂହପୁରରୁ ୮୫, କଟକରୁ ୧୯୭, ପୁରୀରୁ ୧୨୭, କେନ୍ଦ୍ରାପଡ଼ାରୁ ୧୦୮ ଏବଂ ଢେଙ୍କାନାଳ ଜିଲ୍ଲାରୁ ୮୯ ଜଣଙ୍କୁ ନେଇ ମୋଟ ୭୭୫ ଜଣ ଯାତ୍ରୀ ଏହି ତୀର୍ଥଯାତ୍ରାରେ ସାମିଲ ହୋଇଛନ୍ତି। ସେମାନେ ଆସନ୍ତା ୭ ତାରିଖରେ ଫେରିବେ ବୋଲି ଜଣାପଡ଼ିଛି।
ରାଜ୍ୟ ସରକାରଙ୍କ ଏହି ମହତ୍ ପ୍ରୟାସରେ ଆର୍ଥିକ ଦୁର୍ବଳ ଶ୍ରେଣୀର ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ତୀର୍ଥକ୍ଷେତ୍ରକୁ ବିନା ଖର୍ଚ୍ଚରେ ବୁଲିବାର ସୁଯୋଗ ପାଇପାରୁଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ଦ୍ୱାରା ବରିଷ୍ଠ ନାଗରିକମାନଙ୍କର ତୀର୍ଥ ଦର୍ଶନର ସ୍ୱପ୍ନ ସାକାର ହେଉଛି। ପର୍ଯ୍ୟାୟ କ୍ରମେ ରାଜ୍ୟର ଅନ୍ୟ ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ଏଭଳି ଯାତ୍ରାରେ ଅଂଶଗ୍ରହଣ କରାଯିବ।
