FeaturedLatestNews

ରାଜ୍ୟରେ କମିଲା ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ଫାଇନ୍

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ମୋଟର ଯାନ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (PUCC) ନ ଥିଲେ ଦେବାକୁ ହେଉଥିବା ଜରିମାନା ରାଶିକୁ ରାଜ୍ୟ ସରକାର ହ୍ରାସ କରିଛନ୍ତି। ପୂର୍ବରୁ ସର୍ବାଧିକ ୧୦ ହଜାର ଟଙ୍କା ଫାଇନ୍ ଧାର୍ଯ୍ୟ ଥିବା ବେଳେ ଏବେ ତାହା ୬ ହଜାର ଟଙ୍କାକୁ କମାଯାଇଛି। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ୨୦୧୯ ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ଧାର୍ଯ୍ୟ ହୋଇଥିବା ଜରିମାନା ରାଶିକୁ ଏବେ ସଂଶୋଧନ କରାଯାଇଛି।

ନୂଆ ସଂଶୋଧନ ଅନୁଯାୟୀ, ମୋଟର ସାଇକେଲ୍ ଏବଂ ତିନି ଚକିଆ ଗାଡ଼ି (ଯାତ୍ରୀବାହୀ/ମାଲ୍ ପରିବହନ) ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ୧ ହଜାର ଟଙ୍କା ଏବଂ ଦ୍ବିତୀୟ ଥର ଉଲ୍ଲଂଘନ କଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ସେହିପରି ମୋଟର କାର୍, ଜିପ୍ ଏବଂ ମୋଟର କ୍ୟାବ୍ ପାଇଁ ପ୍ରଥମ ଥର ୨ ହଜାର ଏବଂ ଦ୍ବିତୀୟ ଥର ନିୟମ ଉଲ୍ଲଂଘନ କଲେ ୫ ହଜାର ଟଙ୍କା ଫାଇନ୍ ଧାର୍ଯ୍ୟ କରାଯାଇଛି।

ଟ୍ରାକ୍ଟର, ଟ୍ରେଲର ପାଇଁ ପ୍ରଥମ ଥର ୨ ହଜାର ଏବଂ ଦ୍ୱିତୀୟ ଥର ପାଇଁ ୫ ହଜାର ଟଙ୍କା ଜରିମାନା ଲାଗିବ। ଅନନ୍ୟା ଯାନ (ଅନ୍ୟ ବାହନ) ପ୍ରଥମ ଥର ପାଇଁ ୩ ହଜାର ଏବଂ ଦ୍ବିତୀୟ ଥର ପାଇଁ ୬ ହଜାର ଟଙ୍କା ଫାଇନ୍ ଧାର୍ଯ୍ୟ କରାଯାଇଛି। ଏହାସହ ୯୦ ଦିନରୁ ଅଧିକ ଦିନ ଇ-ଚାଲାଣ ବକେୟା ଥିଲେ PUCC ହୋଇପାରିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି।

ନୂଆ ନିୟମ ଅନୁଯାୟୀ ସଂକ୍ଷିପ୍ତ ସୂଚୀ:

  • ମୋଟର ସାଇକେଲ୍: ପ୍ରଥମ ଥର ୧ ହଜାର, ଦ୍ବିତୀୟ ଥର ୨ ହଜାର
  • ତିନି ଚକିଆ ଗାଡ଼ି: ପ୍ରଥମ ଥର ୧ ହଜାର, ଦ୍ବିତୀୟ ଥର ୨ ହଜାର
  • ମୋଟର କ୍ୟାବ୍/କାର୍/ଜିପ୍: ପ୍ରଥମ ଥର ୨ ହଜାର, ଦ୍ବିତୀୟ ଥର ୫ ହଜାର
  • ଟ୍ରାକ୍ଟର/ଟ୍ରେଲର: ପ୍ରଥମ ଥର ୨ ହଜାର, ଦ୍ବିତୀୟ ଥର ୫ ହଜାର
  • ଅନ୍ୟାନ୍ୟ ଯାନ: ପ୍ରଥମ ଥର ୩ ହଜାର, ଦ୍ବିତୀୟ ଥର ୬ ହଜାର