ଦୁର୍ଘଟଣାରେ ପୀଡ଼ିତ ଛାତ୍ରଛାତ୍ରୀଙ୍କୁ ମିଳିବ ୨ ଲକ୍ଷ ଟଙ୍କା ସହାୟତା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ସ୍କୁଲ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ନୂତନ ମାର୍ଗଦର୍ଶିକା ଅନୁଯାୟୀ, ଦୁର୍ଘଟଣାରେ ଜଣେ ଛାତ୍ର ବା ଛାତ୍ରୀଙ୍କର ମୃତ୍ୟୁ ଘଟିଲେ କିମ୍ବା ସ୍ଥାୟୀ ଭାବେ ବିକଳାଙ୍ଗ ହୋଇଗଲେ, ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ମେଡିକାଲ ଜରୁରୀକାଳୀନ ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇବା ଏହାର ମୁଖ୍ୟ ଲକ୍ଷ୍ୟ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ନିୟମ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ଏବଂ ଓଡ଼ିଶା ମଡେଲ ଆଦର୍ଶ ବିଦ୍ୟାଳୟ (OMAV)ରେ ପଢ଼ୁଥିବା ଶିଶୁବାଟିକାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହେବ।
କେବଳ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗତା ନୁହେଁ, ବରଂ ଗୁରୁତର ଆହତ ଛାତ୍ରଛାତ୍ରୀଙ୍କ ଉନ୍ନତ ଚିକିତ୍ସା ପାଇଁ ମଧ୍ୟ ସରକାର ପରିବହନ ସହାୟତା ପ୍ରଦାନ କରିବେ। ଯଦି ବିଶେଷ ଚିକିତ୍ସା ପାଇଁ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ବାହାରକୁ ସ୍ଥାନାନ୍ତର କରାଯାଏ, ତେବେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ରେ ୩ ଦିନରୁ ଅଧିକ ଚିକିତ୍ସିତ ହେଉଥିବା ଛାତ୍ରଛାତ୍ରୀଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ପରିବହନ ଖର୍ଚ୍ଚ ଦିଆଯିବ।
ସରକାରୀ ଡାକ୍ତରଖାନାରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ମାଗଣା ଚିକିତ୍ସା ସୁବିଧା ପାଇବେ। ଆବଶ୍ୟକ ସ୍ଥଳେ ଆୟୁଷ୍ମାନ ଭାରତ, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF) ଓ ରେଡ୍ କ୍ରସ୍ ଭଳି ଯୋଜନା ମାଧ୍ୟମରେ ମଧ୍ୟ ଅତିରିକ୍ତ ସହାୟତା ପ୍ରଦାନ କରାଯିବ।
ଆର୍ଥିକ ସହାୟତା ଯେପରି ବିଳମ୍ବ ନକରି ପ୍ରଭାବିତ ପରିବାରକୁ ପହଞ୍ଚିବ, ସେନେଇ ବିଭାଗ ଗୁରୁତ୍ୱାରୋପ କରିଛି। ଅନୁମୋଦନ ମିଳିବାର ୨୪ ଘଣ୍ଟା ମଧ୍ୟରେ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ। ଏହି ସହାୟତା ପ୍ରଧାନ ଶିକ୍ଷକ, ବିଇଓ, ଡିଇଓ ଏବଂ ଜିଲ୍ଲାପାଳଙ୍କ ଭଳି ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ଵାରା ଅନୁମୋଦିତ ହେବ।
ଦୁର୍ଘଟଣାରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଲେ ସହାୟତା ରାଶି ପାଇବାରେ ପରିବାର ସଦସ୍ୟଙ୍କ ପ୍ରାଥମିକତା ମଧ୍ୟ ସ୍ଥିର କରାଯାଇଛି। ପ୍ରଥମ ହିତାଧିକାରୀ ଭାବେ ମାତାଙ୍କୁ ରାଶି ଦିଆଯିବ। ମାତା ନଥିଲେ ପିତା, ଏବଂ ଉଭୟ ନଥିଲେ ଜିଲ୍ଲାପାଳଙ୍କ ଦ୍ଵାରା ଚିହ୍ନଟ ହୋଇଥିବା ଅଭିଭାବକଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ।
