ବାଲେଶ୍ୱରରୁ ୫ଟି ଓରାଙ୍ଗଉଟାନ୍ ଉଦ୍ଧାର : ଅନ୍ତର୍ଜାତୀୟ ଚୋରାଚାଲାଣ ନେଟୱାର୍କ ଆଶଙ୍କା
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ରଣକୋଠା ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ୍ ଉଦ୍ଧାର ହେବା ଘଟଣା ପରେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଭୋଗରାଇ ବ୍ଲକ ଉଦୟପୁର ବନବିଭାଗ ଅଧିନସ୍ଥ ରଣକୋଠା ବଡ଼ପାହି ଅଞ୍ଚଳରେ ଆଜି (ମଙ୍ଗଲବାର) ସକାଳୁ ଖବର ପାଇ ଉଦୟପୁର ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୫ଟି ଓରାଙ୍ଗଉଟାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି।
ଖବର ପାଇ ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ପହଞ୍ଚି ଓରାଙ୍ଗଉଟାନ୍ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରୁଛନ୍ତି। ଉଦ୍ଧାର ହୋଇଥିବା ଏହି ବିରଳ ଜୀବମାନଙ୍କୁ ରାଜଧାନୀ ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯିବ ଏବଂ ସେଠାରେ ସେମାନଙ୍କୁ କ୍ବାରେନଣ୍ଟାଇନ୍ ରେ ରଖାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ, ଏହି ବିରଳ ବନ୍ୟଜନ୍ତୁମାନେ ଏକ ଅନ୍ତର୍ଜାତୀୟ ଚୋରାଚାଲାଣ ନେଟୱାର୍କର ଅଂଶବିଶେଷ ହୋଇପାରନ୍ତି। ଏହାକୁ ଓଡ଼ିଶା ପାଇଁ ଏକ ସୌଭାଗ୍ୟ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ, ଓରାଙ୍ଗଉଟାନ୍ ଭାରତର ମୂଳ ବାସିନ୍ଦା ନୁହଁନ୍ତି, ସାଧାରଣତଃ ଏମାନେ ମାଲେସିଆ, ସୁମାତ୍ରା, ଇଣ୍ଡୋନେସିଆ ଭଳି ଦେଶରେ ଦେଖାଯାଆନ୍ତି।
ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ୍ଗୁଡ଼ିକର ବୟସ ୧ରୁ ୨ ବର୍ଷ ମଧ୍ୟରେ ହେବ ବୋଲି ଆକଳନ କରାଯାଉଛି। ଗୋଟିଏ ଓରାଙ୍ଗଉଟାନ୍ର ବଜାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହୋଇଥିବାରୁ ଏହା ପଛରେ କୌଣସି ଅନ୍ତର୍ଜାତୀୟ ମାଫିଆଙ୍କ ହାତ ଥିବା ଦୃଢ଼ ସନ୍ଦେହ କରାଯାଉଛି। ଏହି ପଶୁମାନଙ୍କୁ ବେଙ୍ଗଲ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଚାଲାଣ କରାଯାଉଥିଲା କି ନାହିଁ, ତାହା ତଦନ୍ତ ସାପେକ୍ଷ।
ଏହି ପ୍ରଜାତିର ଜୀବ ଭାରତ ବା ଓଡ଼ିଶାର ନହୋଇଥିବାରୁ, ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ହିଁ ଚୋରାଚାଲାଣର ପ୍ରକୃତ ଉତ୍ସ ସ୍ପଷ୍ଟ ହେବ ବୋଲି ଶ୍ରୀ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (WCCB) ଦ୍ୱାରା କରାଯିବ ଏବଂ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (PCCF) ପ୍ରେମ ଝା ବ୍ୟକ୍ତିଗତ ଭାବେ ଏହି ମାମଲାର ତଦାରଖ କରୁଛନ୍ତି।
ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, “ବିଦେଶରେ ଦୁଇରୁ ତିନୋଟି ସ୍ଥାନରେ ଓରାଙ୍ଗଉଟାନ ଦେଖିବାକୁ ମିଳେ। ଓଡ଼ିଶାକୁ କିପରି ଆସିଲା, ତାହା ବନ ବିଭାଗର ବନ୍ୟପ୍ରାଣୀ ଶାଖା ତଦନ୍ତ କରୁଛି। ଏପରିକି ସ୍ଥାନୀୟ ପୋଲିସକୁ ମଧ୍ୟ ଅବଗତ କରାଯାଇଛି।” ନନ୍ଦନକାନନରୁ ଏକ ଟିମ୍ ଭୋଗରାଇ ଯାଇଛି, ଯେଉଁଥିରେ ଭେଟେନାରୀ ଓ ଡାକ୍ତର ରହିଛନ୍ତି।
ଓରାଂଉଟାନ୍ମାନେ ସ୍ୱଭାବରେ ଶାନ୍ତ ହୋଇଥିବା ବେଳେ ଏମାନେ ମଣିଷର କୌଣସି କ୍ଷତି କରନ୍ତି ନାହିଁ। ବିବର୍ତ୍ତନ ଦୃଷ୍ଟିକୋଣରୁ ଏହି ପ୍ରଜାତି ମଣିଷର ଅତି ନିକଟତର ବୋଲି ବିବେଚନା କରାଯାଏ। ଉଦ୍ଧାର ହୋଇଥିବା ଏହି ବିରଳ ଜୀବମାନଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି। ଏହି ଓରାଙ୍ଗଉଟାନ୍ ମାନେ କେଉଁଠୁ ଆସିଲେ ଏବଂ କିପରି ଏହି ଅଞ୍ଚଳରେ ପହଞ୍ଚିଲେ, ସେନେଇ ବନ ବିଭାଗର ତଦନ୍ତ ଜାରି ରହିଛି।
