ଏମଏମଡିଆର ବିଲ୍ ବିରୋଧରେ ୨୯ରେ ବିଧାନସଭା ଘେରାଓ କରିବ କଂଗ୍ରେସ
ଭୁବନେଶ୍ୱର (ସଂକେତ ଟିଭି): ଏମଏମଡିଆର (MMDR) ବିଲ୍କୁ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜି (Lower PMG) ଠାରେ ଇଣ୍ଡିଆ ବ୍ଲକ ପକ୍ଷରୁ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ପିସିସି ସଭାପତି ଭକ୍ତ ଚରଣ ଦାସ ଘୋଷଣା କରିଛନ୍ତି ଯେ, ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଓ କରାଯିବ। ସେ ଦୃଢ଼ୋକ୍ତି ଦେଇଛନ୍ତି ଯେ, ଏହି ବିଲ୍ ଓଡ଼ିଶାର ସ୍ୱାର୍ଥ ପାଇଁ ଅତ୍ୟନ୍ତ କ୍ଷତିକାରକ ଏବଂ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଆବଶ୍ୟକ।
ଏହି ବିଲ୍ ପ୍ରତ୍ୟାହାର ଦାବିରେ କଂଗ୍ରେସ ସହ ୮ଟି ରାଜନୈତିକ ଦଳ ଏକାଠି ହୋଇଛନ୍ତି। ଯଦି ସରକାର ଏହି ଦାବି ପୂରଣ ନକରନ୍ତି, ତେବେ ଇଣ୍ଡିଆ ମେଣ୍ଟ ପ୍ରତିବାଦ ଜାରି ରଖିବ ଏବଂ ଆଗକୁ ଏହାକୁ ମହା ଆନ୍ଦୋଳନର ରୂପ ଦିଆଯିବ ବୋଲି କଂଗ୍ରେସ ଓ ବାମ ଦଳର ନେତାମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।
ଓଡ଼ିଶା ପାଇଁ ଏହି MMDR ବିଲ୍ ଏକ ଲଜ୍ଜାଜନକ ବିଷୟ ବୋଲି କଂଗ୍ରେସ କହିଛି। ଏହି ପ୍ରସଙ୍ଗରେ ବିଜେପିର ୨୦ ଜଣ ସାଂସଦ ନୀରବ ରହିଥିବାରୁ କଂଗ୍ରେସ ପ୍ରଶ୍ନ ଉଠାଇଛି। ଏହାକୁ ଓଡ଼ିଶା ପ୍ରତି ବିଶ୍ୱାସଘାତକତା ବୋଲି ବିଶେଷ କରି କୁହାଯାଇଛି, କାରଣ ଏହି ବିଲ୍ ଓଡ଼ିଶା ଭଳି ଖଣି ପ୍ରଚୁର ରାଜ୍ୟର ଅଧିକାରକୁ କ୍ଷୁର୍ଣ୍ଣ କରିଛି।
୨୯ ତାରିଖ ପୂର୍ବରୁ ରାଜ୍ୟର ଚାରିଟି ପ୍ରମୁଖ ସ୍ଥାନ – ସୁନ୍ଦରଗଡ଼, ରାୟଗଡ଼ା, ଅନୁଗୁଳ ଓ କେନ୍ଦୁଝର – ରେ ବିଭିନ୍ନ ଦିନ ବଡ଼ ଆନ୍ଦୋଳନ କରାଯିବ। ଖଣି ଜିଲ୍ଲାଗୁଡ଼ିକରେ ମଧ୍ୟ ଆନ୍ଦୋଳନ ଜାରି ରହିବ। ଶିକ୍ଷା ଓ MMDR ପ୍ରସଙ୍ଗରେ କଂଗ୍ରେସ ତାପର ଆନ୍ଦୋଳନ ଜାରି ରଖିବ ଏବଂ ୨୯ ତାରିଖ ଦିନ ବିଧାନସଭା ଘେରାଓ ପରେ ଓଡ଼ିଶା ବନ୍ଦ ଡାକରା ଦିଆଯିବ ବୋଲି ଘୋଷଣା କରାଯିବ।
ଏହି ପ୍ରସଙ୍ଗରେ ବିଜେଡି ମଧ୍ୟ ଆନ୍ଦୋଳନ କରୁଥିବାରୁ ତାହାକୁ ସ୍ୱାଗତ ଜଣାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଏହି ବିଲ୍ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଇଣ୍ଡିଆ ବ୍ଲକର ସମସ୍ତ ଦଳ ମିଳିତ ଭାବେ ଆନ୍ଦୋଳନ ଜାରି ରଖିବେ ଏବଂ ଓଡ଼ିଶାବାସୀଙ୍କୁ ଏହି ଅନ୍ୟାୟ ବିରୋଧରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।
