୯ ଯୁବ ଆଇଏଏସଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ୨୦୨୪ ରେଗୁଲାର ରିକ୍ରୁଟ୍ମେଣ୍ଟ ବ୍ୟାଚ୍ର ୯ ଜଣ ଯୁବ ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀଙ୍କୁ ରାଜ୍ୟର ବିଭିନ୍ନ ଉପଖଣ୍ଡରେ ଉପଜିଲ୍ଲାପାଳ (SDM) ଭାବେ ନିଯୁକ୍ତି ଦେଇଛନ୍ତି। ଏହି ନିଯୁକ୍ତି ପାଇଁ ଆଜି ସରକାରୀ ବିଜ୍ଞପ୍ତି ଜାରି ହୋଇଛି।
ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ କରି ଫେରିବା ପରେ ଏହା ସେମାନଙ୍କର ପ୍ରଥମ ସ୍ୱାଧୀନ କ୍ଷେତ୍ର ନିଯୁକ୍ତି। ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ର ଧାରା ୧୪(୪) ଅନୁଯାୟୀ ପ୍ରତ୍ୟେକ ଅଧିକାରୀଙ୍କୁ ନିଜ ନିଜ ଉପଖଣ୍ଡର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି।
ପ୍ରକାଶିତ ତାଲିକା ଅନୁଯାୟୀ, ଅନିମେଷ ପ୍ରଧାନଙ୍କୁ କଟକ ଜିଲ୍ଲା ଆଠଗଡ଼ର ଉପଜିଲ୍ଲାପାଳ ନିଯୁକ୍ତ କରାଯାଇଛି। ପ୍ରଜ୍ଞାନନ୍ଦନ ଗିରି ଅନୁଗୋଳ ଜିଲ୍ଲା ତାଳଚେର, କସ୍ତୁରୀ ଶାହ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଏବଂ ଫବି ରସିଦ୍ କୋରାପୁଟ ଜିଲ୍ଲାର ଦାୟିତ୍ୱ ଗ୍ରହଣ କରିବେ।
ସେହିପରି ମୃଣାଳିକା ରାଠୋରଙ୍କୁ ରାୟଗଡ଼ା, ଶୁଭ୍ରା ପଣ୍ଡାଙ୍କୁ କୋରାପୁଟ ଜିଲ୍ଲାର ଜୟପୁର, ପବନ କୁମାରଙ୍କୁ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼, ଭଗତ ଶାମଲ କଲ୍ୟାଣରାଓଙ୍କୁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଏବଂ ସନ୍ତୋଷ କୁମାର ପାତ୍ରଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି।
