ମଧ୍ୟପ୍ରାଚ୍ୟରୁ ଓଡ଼ିଶାକୁ ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ
ଭୁବନେଶ୍ୱର (ସଂକେତ୍ ଟିଭି): ମଧ୍ୟପ୍ରାଚ୍ୟରୁ ଓଡ଼ିଶାକୁ ନିବେଶ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦୁବାଇ ଓ ଆବୁଧାବିରେ ଅନୁଷ୍ଠିତ ମଧ୍ୟପ୍ରାଚ୍ୟ ନିବେଶକ ସମ୍ମିଳନୀ ଫଳପ୍ରଦ ସାବ୍ୟସ୍ତ ହୋଇଥିବା କୁହାଯାଉଛି।
ଏହି ୩ ଦିନିଆ ଗସ୍ତ କାଳରେ ଓଡ଼ିଶା ପାଇଁ ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ ଆସିଛି, ଯାହା ରାଜ୍ୟ ଅର୍ଥନୀତିକୁ ନୂଆ ଗତି ପ୍ରଦାନ କରିବ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମୋଟ ୪୬ଟି ୱାନ-ଟୁ-ୱାନ ବୈଠକ ଏବଂ ୬ଟି ରାଉଣ୍ଡ ଟେବୁଲ ବୈଠକ କରିଛନ୍ତି। ୮ଟି ପ୍ରମୁଖ କମ୍ପାନି ସହ MoU ସ୍ୱାକ୍ଷରିତ ହୋଇଥିବା ବେଳେ ୧୬ଟି ନିବେଶ ଆଗ୍ରହପତ୍ର ହାସଲ ହୋଇଛି।
ସେହିପରି ଏହି ନିବେଶ ଦ୍ୱାରା ରାଜ୍ୟରେ ପ୍ରାୟ ୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗ୍ରୀନ୍ ଏନର୍ଜି, କେମିକାଲ୍ସ, ମିନେରାଲ୍ସ, ପେଟ୍ରୋକେମିକାଲ୍ସ, ଭିତ୍ତିଭୂମି ଓ ଲଜିଷ୍ଟିକ୍ସ ଭଳି ପ୍ରମୁଖ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସ ଓଡ଼ିଶାକୁ ଏକ ବୈଶ୍ୱିକ ଶିଳ୍ପ ହବ୍ ଭାବେ ଗଢ଼ିତୋଳିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।
ସେହିପରି ଏହି ଅବସରରେ ବିରୋଧୀଙ୍କ ପ୍ରଶ୍ନର କଡ଼ା ଜବାବ ରଖିଛନ୍ତି ଶିଳ୍ପ ମନ୍ତ୍ରୀ। ଗ୍ରାଉଣ୍ଡ ବ୍ରେକିଂ ଓ ପ୍ରକଳ୍ପ କାର୍ଯ୍ୟକାରିତାକୁ ନେଇ ବିରୋଧୀ ଦଳର ଅଭିଯୋଗକୁ ଖଣ୍ଡନ କଲେ ଶିଳ୍ପ ମନ୍ତ୍ରୀ। ଏହା ଏକ କ୍ରମାଗତ ପ୍ରକ୍ରିୟା। ବିଗତ ଦୁଇ ବର୍ଷ ମଧ୍ୟରେ ୧୦ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପକୁ ଏଚଏଲସିଏ ଅନୁମୋଦନ ଦେଇସାରିଛି। ସେହିପରି ୩ ଲକ୍ଷ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଏବଂ ଉଦଘାଟନ କାର୍ଯ୍ୟ ସମ୍ପନ୍ନ ହୋଇଛି, ଯାହା ପୂର୍ବତନ ସରକାରଙ୍କ ୧୦ ବର୍ଷର ରେକର୍ଡ ସହ ସମାନ। ଆମ ସରକାର ‘Speed of Doing Business’କୁ ପ୍ରାଥମିକତା ଦେଇ ଆଗକୁ ବଢ଼ୁଛି ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି।
