FeaturedLatestNewsPolitics

ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ: ନବୀନ କଲେ ଶୁଭାରମ୍ଭ

ଭୁବନେଶ୍ୱର (ସଂକେତ ଟିଭି): ଆଜି ଗାନ୍ଧୀ ଜୟନ୍ତୀଠାରୁ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଏକାମ୍ର ନିର୍ବାଚନମଣ୍ଡଳୀରୁ ଶୁଭାରମ୍ଭ ହୋଇଛି। ଏହି ପଦଯାତ୍ରାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।

ବିମାନଵନ୍ଦର ନିକଟସ୍ଥ ରଜ ପଡିଆରୁ ପଦଯାତ୍ରାର ଶୁଭାରମ୍ଭ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ତା’ର ଭଲ କାମ ପାଇଁ ସବୁବେଳେ ଲୋକଙ୍କ ହୃଦୟରେ ଅଛି ଓ ରହିଥିବ। ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋକପାତ କରି ସେ କହିଥିଲେ ଯେ ଓଡିଶା ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି।

ସରକାର କହୁଛନ୍ତି ଲୋକଙ୍କ ସରକାର। କିନ୍ତୁ ଲୋକଙ୍କ କଥା ଶୁଣିବାକୁ କେହି ନାହିଁ। ପିଲାଙ୍କ ପାଠ ବହି ନାହିଁ। ବୁଢାବୁଢ଼ିଙ୍କ ପେନସନ ନାହିଁ। ଚାଷୀ ହଇରାଣ। ମା’ମାନେ ହଇରାଣ। ଆଇନ ଶୃଙ୍ଖଳା ବୋଲି କିଛି ନାହିଁ ବୋଲି ସେ ଅଭିଯୋଗ କରିଥିଲେ।

ରାଜ୍ୟ ସରକାରଙ୍କ ବିଫଳତା ଓ କୁପରିଚାଳନା ଉପରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏ ସରକାର ଗୋଟିଏ ବି ରଥଯାତ୍ରା ଠିକ ଭାବରେ ପରିଚାଳନା କରି ପାରିଲେନି। ବନ୍ୟା ରିଲିଫରେ କୁପରିଚାଳନା, ଧାନ ସଂଗ୍ରହରେ କୁପରିଚାଳନା, ନିଯୁକ୍ତି ପରୀକ୍ଷା କୁପରିଚାଳନା, ଅର୍ଥ ବ୍ୟବସ୍ଥାରେ କୁପରିଚାଳନା। ସବୁ କାମରେ ଏ ସରକାର ଫେଲ ବୋଲି ସେ କହିଥିଲେ।

ନବୀନ କହିଥିଲେ ଯେ କେନ୍ଦ୍ର ସରକାର ଖଣି ଉପରୁ ଓଡିଶାବାସୀଙ୍କ ଅଧିକାର ନେଇଗଲେ। ଓଡିଶା ସରକାର ଚୁପ। ୨୦ ବିଜେପି ସାଂସଦ ଓଡିଶାବାସୀଙ୍କ ପାଇଁ ଚୁପ। କିନ୍ତୁ ଖଣି ମାଲିକଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ। ପିଲାଙ୍କ ପଢା ବହି କଥା ନ କହିବା ଭଲ। ହଜାର ହଜାର ଭୂଲ। କିନ୍ତୁ ଉତ୍ତରଦାୟିତ୍ୱ ନେବାକୁ ସରକାର ନାରାଜ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ।

ସେ ଆହୁରି କହିଥିଲେ ଯେ ରାଜ୍ୟରେ ରାଜସ୍ୱ ସଂଗ୍ରହ କମୁଛି। ବଜେଟ ବ୍ୟୟ ବରାଦ ଖର୍ଚ୍ଚ ହୋଇ ପାରୁନି। କିଛି କାମ ହେଉନାହିଁ। କିନ୍ତୁ ଋଣ ଭାର ବଢ଼ି ଚାଲିଛି। ଟଙ୍କା ଯାଉଛି କୁଆଡେ ବୋଲି ସେ ପ୍ରଶ୍ନ କରିଥିଲେ।
ବିଜୁ ଜନତା ଦଳ ବିଜୁ ବାବୁଙ୍କ ଆଦର୍ଶରେ ଓଡିଶା ପାଇଁ ଲଢ଼ି ଆସିଛି ଓ ଆଗାମୀ ଦିନରେ ଲଢେଇକୁ ଆହୁରି ଜୋରଦାର କରିବାକୁ ନବୀନ ଆହ୍ୱାନ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତଜେନା, ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ଓ ମନ୍ମଥ ରାଉତରାୟଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *