FeaturedLatestNews

ମିଶନ ଶକ୍ତି ମହିଳାଙ୍କୁ ସୁଭଦ୍ରା ଶକ୍ତି ବ୍ରାଣ୍ଡ: ନୂଆ ଉତ୍ପାଦ କ୍ୟାଟାଲଗ୍ ଉନ୍ମୋଚିତ

ଭୁବନେଶ୍ୱର (ସଂକେତ ଟିଭି): ମିଶନ ଶକ୍ତି ମହିଳାଙ୍କୁ ସୁଭଦ୍ରା ଶକ୍ତି ବ୍ରାଣ୍ଡ ମିଳିଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦକୁ ନୂଆ ବଜାର ଓ ନୂଆ ପରିଚୟ ଦେବାକୁ ରାଜ୍ୟ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି । ଭୁବନେଶ୍ୱର ମିଶନ ଶକ୍ତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ବ୍ରାଣ୍ଡ ଅଧୀନରେ ବିଭିନ୍ନ ଉତ୍ପାଦର ଶୁଭାରମ୍ଭ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସୁଭଦ୍ରା ଶକ୍ତି ବଜାରର ନୂଆ ଉତ୍ପାଦ କ୍ୟାଟାଲଗ୍ ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ୩ ଲକ୍ଷ ୨୬ ହଜାର ୩୬୬ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୪୭ କୋଟି ୩୪ ଲକ୍ଷ ଟଙ୍କାର ସୁଧ ଫେରସ୍ତ ସହାୟତା ଦିଆଯାଇଛି । ସେହିପରି ୮ ହଜାର ୯୨୭ଟି ଏସ୍ଏଚ୍ଜିଙ୍କୁ ୧୬ କୋଟି ୩ ଲକ୍ଷ ଟଙ୍କାର ଆବର୍ତ୍ତନ ପାଣ୍ଠି, ୨୦୪ଟି ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘକୁ ୬୦ କୋଟି ୪୦ ଲକ୍ଷ ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠି ଏବଂ ୩୭୬ଟି ଆଞ୍ଚଳିକ ମଞ୍ଚକୁ ୫ କୋଟି ୩୭ ଲକ୍ଷ ଟଙ୍କାର ନିରାପତ୍ତା ପାଣ୍ଠି ମିଳିଛି । ମୋଟ୍ ୩୨୯ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ମହିଳା ଗୋଷ୍ଠୀଙ୍କୁ ଦିଆଯାଇଛି ।

କେବଳ ଆର୍ଥିକ ସହାୟତା ନୁହେଁ, ମହିଳାଙ୍କ ଉତ୍ପାଦକୁ ବଜାର ସହ ଯୋଡ଼ିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଗ୍ଧସୁଭଦ୍ରା ଶକ୍ତିଗ୍ଦ ବ୍ରାଣ୍ଡରେ ପୋଷଣଯୁକ୍ତ ଲୋ-ଜିଆଇ ଚାଉଳ, ଚୁଡ଼ା, ଇଡ୍ଲି ରାୱା, ମିଲେଟ୍ କୁକିଜ୍ ଏବଂ ସୁଗନ୍ଧିତ କଳାଜିରା ଚାଉଳ ବଜାରକୁ ଆସିଛି । ଖୋର୍ଦ୍ଧା ମାତୃଶକ୍ତି କୃଷକ ଉତ୍ପାଦକ କମ୍ପାନୀ ଏହି ଉତ୍ପାଦ ପ୍ରସ୍ତୁତ କରିଛି । ଏଥିରେ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଆଇଆରଆରଆଇ ର ବୈଷୟିକ ସହଯୋଗ ରହିଛି ।

ମହିଳା କୃଷକ ଉତ୍ପାଦକ କମ୍ପାନୀଙ୍କ ବଜାର ସଂଯୋଗ ପାଇଁ ୬ଟି ବ୍ୟବସାୟିକ ସହଭାଗିତା ସ୍ଥାପନ ହୋଇଛି । ଏହା ମାଧ୍ୟମରେ ୪ କୋଟି ୫୬ ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ସମ୍ଭାବ୍ୟ ବ୍ୟବସାୟିକ କାରବାରର ସୁଯୋଗ ସୃଷ୍ଟି ହୋଇଛି । ଅନ୍ୟପଟେ ଭୁବନେଶ୍ୱରର ଭିଲା ମାର୍ଟ ଇ-କମର୍ସ ପ୍ଲାଟଫର୍ମରେ ସୁଭଦ୍ରା ଶକ୍ତି ଉତ୍ପାଦର ଅନଲାଇନ୍ ବିକ୍ରି ଓ ପ୍ରଚାର ଆରମ୍ଭ ହୋଇଛି । ଏହାଦ୍ୱାରା ମହିଳା ଉଦ୍ୟୋଗୀଙ୍କ ଉତ୍ପାଦ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିପାରିବ ।

ସେହିପରି ପ୍ରବାସନପ୍ରବଣ ଅଞ୍ଚଳର ଦୁର୍ବଳ ପରିବାରଙ୍କ ଜୀବିକା ସୁଦୃଢ଼ କରିବାକୁ ଓଡ଼ିଶା ଜୀବିକା ମିଶନ ଓ ଦି ନଜ୍ ଲାଇଫ୍ସ୍କିଲ୍ସ ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଏହାଦ୍ୱାରା ଦକ୍ଷତା ବିକାଶ, ଜୀବିକା ସୃଷ୍ଟି ଓ ସରକାରୀ ଯୋଜନା ସହ ଯୋଡ଼ିବା ଦିଗରେ କାର୍ଯ୍ୟ କରାଯିବ ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଡବଲ୍ ଇଞ୍ଜିନ୍ ସରକାରରେ ମହିଳାଙ୍କର ଦୁଇଗୁଣା ପ୍ରଗତି ହେଉଛି । ଆର୍ଥିକ ସହାୟତା ସହ ଦକ୍ଷତା ବିକାଶ, ବୈଷୟିକ ସହଯୋଗ ଓ ବଜାର ସଂଯୋଗ ମହିଳାଙ୍କ ଉଦ୍ୟୋଗୀ ଯାତ୍ରାକୁ ଆଗକୁ ନେବ । ଏପରିକି ନଭେମ୍ବର ୨୪ ଓ ୨୫ରେ ଏସ୍ଏଚ୍ଜି ମହିଳାମାନେ ବ୍ୟବସାୟ ପାଇଁ ଇଣ୍ଡୋନେସିଆର ବାଲି ଯାତ୍ରା କରିବେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *