CrimeFeaturedLatestNews

ବାଲେଶ୍ୱରରେ ୧୧ କୋଟି ଟଙ୍କା ଟଙ୍କାର ବ୍ରାଉନ ସୁଗାର ଜବତ, ଦୁଇ ଗିରଫ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଟାଉନ ପୋଲିସ ମଙ୍ଗଳବାର ସକାଳେ ଗୋପାଳଗାଁରେ ଏକ ଚଢ଼ାଉ କରି ୧୦.୨୩୩ କିଲୋଗ୍ରାମ ବ୍ରାଉନ ସୁଗାର ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୧୧ କୋଟି ଟଙ୍କା ବୋଲି ଜଣାପଡ଼ିଛି। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତମାନେ ହେଉଛନ୍ତି ବାଲେଶ୍ୱର ସହରର ଆର଼ଡ଼ବଜାରର ଏସ.କେ. ଅସଗର ଏବଂ ହାମିଦା ବିବି।

ପୋଲିସ ସୂତ୍ର ଅନୁଯାୟୀ, ସୋମବାର ରାତି ୧୧.୪୯ ଟାରେ ଟାଉନ ଥାନା ଅଧିକାରୀଙ୍କୁ ଦୁଇ ଜଣଙ୍କ ବିଷୟରେ ଏକ ବିଶ୍ୱସନୀୟ ସୂଚନା ମିଳିଥିଲା ଯେ ସେମାନେ ବହୁ ପରିମାଣର ବ୍ରାଉନ ସୁଗାର ରଖିବା ଏବଂ ବିକ୍ରି କରିବାରେ ସମ୍ପୃକ୍ତ ଅଛନ୍ତି।

ସୂଚନା ଆଧାରରେ ପୋଲିସ ଏକ ଦଳ ମଙ୍ଗଳବାର ସକାଳେ ଗୋପାଳଗାଁର ଏକ ଘରେ ଚଢ଼ାଉ କରି ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ଡେରି ହେଲେ ସେମାନେ ନିଶା ଦ୍ରବ୍ୟକୁ ଲୁଚାଇ କିମ୍ବା ନଷ୍ଟ କରିପାରନ୍ତି ବୋଲି ଆଶଙ୍କା କରାଯାଉଥିଲା।

ଖୋଜାଖୋଜି ସମୟରେ ପୋଲିସ ଏକ ୱାଶିଂ ମେସିନ ଭିତରେ ଲୁଚା ଯାଇଥିବା ୧,୯୧୩ ଗ୍ରାମ କଞ୍ଚା ବ୍ରାଉନ ସୁଗାର ଏବଂ ୮,୩୨୦ ଗ୍ରାମ ଗୁଣ୍ଡା କରାଯାଇଥିବା ବ୍ରାଉନ ସୁଗାର ଜବତ କରିଥିଲା। ମୋଟ ଜବତ ପରିମାଣ ୧୦ କିଲୋ ୨୩୩ ଗ୍ରାମ ଥିଲା।

ନିଶା ଦ୍ରବ୍ୟ ବ୍ୟତୀତ ପୋଲିସ ୪,୬୨,୭୯୦ ଟଙ୍କା ନଗଦ, ୧୧ଟି ଏଟିଏମ, ରୁପ ପେ, ପାନ, ଇସିଆଇ ଏବଂ ଡ୍ରାଇଭିଂ ଲାଇସେନ୍ସ କାର୍ଡ, ଏକ ମୋଟରସାଇକେଲ, ଏକ ସ୍କୁଟି, ଛଅଟି ମୋବାଇଲ ଫୋନ, ଛଅ ବୋତଲ ବ୍ରୁସିନ ଆନହାଇଡ୍ରସ ଏବଂ ଦୁଇଟି ଇଲେକ୍ଟ୍ରୋନିକ ଓଜନ ଯନ୍ତ୍ର ଜବତ କରିଥିଲା।

ଏନେଇ ଏନଡିପିଏସ ଆଇନର ଧାରା ୨୧(ସି) ଏବଂ ବିଏନଏସର ଧାରା ୨୭୬, ୨୭୭ ଏବଂ ୩(୫) ଅନୁଯାୟୀ ବାଲେଶ୍ୱର ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *