ବ୍ରିକ୍ସ ସମ୍ମିଳନୀରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଗୀତ, ସୋସିଆଲ ମିଡିଆରେ ଭାଇରାଲ
ନୂଆଦିଲ୍ଲୀ ସଂକେତ୍ ଟିଭି): ବ୍ରିକ୍ସ ସମ୍ମିଳନୀରେ ବଲିଉଡ୍ ଯାଦୁ ଦେଖିବାକୁ ମିଳିଛି । ହିନ୍ଦୀ ଗୀତ ଗାଇ ସମସ୍ତଙ୍କ ମନ ଜିଣିଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ । ପ୍ରଧାନମନ୍ତ୍ରୀଙ୍କ କଣ୍ଠରେ କିଶୋର କୁମାରଙ୍କ ଗୀତ ଶୁଣିବାକୁ ମିଳିଛି । ନୂଆଦିଲ୍ଲୀରେ ଅନୱର ଇବ୍ରାହିମଙ୍କ ସୁନ୍ଦର ଅନ୍ଦାଜ ଚର୍ଚ୍ଚାର ବିଷୟ ପାଲଟିଛି । କୁଟନୀତି ସହ ସଙ୍ଗୀତର ଜୁଗଳବନ୍ଦୀ ଦେଖିବାକୁ ମିଳିଛି । ବ୍ରିକ୍ସ ସମ୍ମିଳନୀରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଗୀତ ଗାଇବା ଭିଡିଓ ଭାଇରାଲ ହୋଇଛି । ଗୀତଟି ହେଉଛି – ଖ୍ୱାବ ହୋ ତୁମ ୟା କୋଇ ହକୀକତ ।
ଦିଲ୍ଲୀ ଗସ୍ତରେ ହିନ୍ଦୀ ଗୀତ ଗାଇଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ । ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ନୂଆଦିଲ୍ଲୀ ଗସ୍ତ ସମୟରେ ଲୋକପ୍ରିୟ ହିନ୍ଦୀ ଗୀତ ‘ଖ୍ୱାବ ହୋ ତୁମ ୟା କୋଇ ହକୀକତ’ ଗାଇ ସମସ୍ତଙ୍କ ମନ ଜିଣିଛନ୍ତି । ଭାରତରେ ଆୟୋଜିତ ହେଉଥିବା ୧୮ତମ ବ୍ରିକ୍ସ (BRICS) ଶିଖର ସମ୍ମିଳନୀର କାର୍ଯ୍ୟକ୍ରମ ଅବସରରେ ସେ ଏହି ଗୀତ ଗାଇଥିଲେ ।
ନୂଆଦିଲ୍ଲୀରେ ରାତ୍ରୀ ଭୋଜନ ସମୟରେ ପିଆନୋ ବାଦକଙ୍କ ସହ ମିଶି ମାଲେସିଆ ପ୍ରଧାନମନ୍ତ୍ରୀ ସଦାବହାର ଗୀତର କିଛି ଧାଡ଼ି ଗାଇଥିଲେ । ପରେ ସେ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ମଜାଳିଆ ଶୈଳୀରେ ଲେଖିଥିଲେ, ‘ଗୁରୁ, ମୁଁ ଟିକେ ଗାଇପାରିବି କି ?’
ଏହି ପ୍ରସିଦ୍ଧ ଗୀତଟିକୁ କିମ୍ବଦନ୍ତୀ ଗାୟକ କିଶୋର କୁମାର ଗାଇଥିବା ବେଳେ ଏହା ୧୯୬୫ ମସିହାର ଦେବ ଆନନ୍ଦଙ୍କ ଅଭିନୀତ ଚଳଚ୍ଚିତ୍ର ‘ତିନ ଦେବିୟାଁ’ର ଏକ ଲୋକପ୍ରିୟ ଗୀତ । ଏହାର ସଙ୍ଗୀତ ନିର୍ଦ୍ଦେଶନା ଏସ.ଡି. ବର୍ମନ ଦେଇଥିବା ବେଳେ ଏହାକୁ ମଜରୁହ ସୁଲତାନପୁରୀ ଲେଖିଥିଲେ ।
ଅନୱର ଇବ୍ରାହିମଙ୍କର ଭାରତୀୟ ସିନେମା ଏବଂ ସଙ୍ଗୀତ ପ୍ରତି ଗଭୀର ଭଲପାଇବା ରହିଛି । ଏହି ଗସ୍ତ ସମୟରେ ସେ ମୁକେଶଙ୍କର ଆଉ ଏକ ପ୍ରସିଦ୍ଧ ଗୀତ ‘ଦୋସ୍ତ ଦୋସ୍ତ ନା ରହା’ ମଧ୍ୟ ଗାଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓଟି ବେଶ୍ ଭାଇରାଲ ହେବାରେ ଲାଗିଛି ଏବଂ ଭାରତୀୟ ଜନସାଧାରଣ ତାଙ୍କର ଏହି ସରଳ ଏବଂ ସୁନ୍ଦର ଅନ୍ଦାଜକୁ ବହୁତ ପ୍ରଶଂସା କରୁଛନ୍ତି ।
