ସେବା ସଂକଳ୍ପ ଯାତ୍ରା: ବାରାଣସୀରୁ ବାଡ଼ନଗର ଯାତ୍ରା ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର (ସଂକେତ୍ ଟିଭି): ସେବା ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ବାରାଣସୀରୁ ବାଡ଼ନଗର ଯାତ୍ରାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୁଭାରମ୍ଭ କରିଛନ୍ତି। ବିଜେପି ଯୁବ ମୋର୍ଚ୍ଚାର ଏକ ଟିମ ଭୁବନେଶ୍ୱର ଷ୍ଟେସନରୁ ବାରାଣସୀ ଅଭିମୁଖେ ଯାତ୍ରା କରିଛି। ପତାକା ଦେଖାଇ ଏହି ଯାତ୍ରାକୁ ଶୁଭାରମ୍ଭ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ରାଜ୍ୟର ୩୦ ଜିଲ୍ଲାରୁ ୩୦ ଜଣ ଯୁବକ ଭୁବନେଶ୍ୱରରୁ ବାହାରି ବାରାଣସୀରେ ପହଞ୍ଚିବେ। ୨୫ ଦିନ ଧରି ପ୍ରବାସରେ ଯିବେ ଯୁବକମାନେ। ସେମାନେ ୧୮୦୦ କିଲୋମିଟର ଯାତ୍ରା କରିବେ।
ଜଳ, ଜନ, ସେବା ଏହି ୩ ମନ୍ତ୍ରକୁ ପାଥେୟ କରି ଦେଶର କୋଣ ଅନୁକୋଣରୁ ଯୁବକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ଭୁବନେଶ୍ୱର ବିଶ୍ୱନାଥଙ୍କ ପୀଠରୁ ସୋମନାଥଙ୍କ ପୀଠ ଯାଏଁ ଅଭିଯାନ ଚାଲିବ। ମୋଦିଙ୍କ ସମୟର ବିକାଶ, ଆଧୁନିକୀକରଣ, ନୀତି ଏବଂ ଅନେକ କିଛି ବାବଦରେ ସେମାନେ ଶିକ୍ଷା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ସେପଟେ ଓଡ଼ିଶାରେ ଆଗାମୀ ୨୦୨୭ ପଞ୍ଚାୟତ ନିର୍ବାଚନ ଶାସକ ଦଳ ଭାରତୀୟ ଜନତା ପାର୍ଟି ପାଇଁ ଏକ ଅଗ୍ନିପରୀକ୍ଷା। ୨୦୨୪ ବିଧାନସଭା ନିର୍ବାଚନରେ ଐତିହାସିକ ସଫଳତା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ପାଇଁ ଏହି ଗ୍ରାମାଞ୍ଚଳ ନିର୍ବାଚନ ଗ୍ରାଉଣ୍ଡରେ ନିଜର ପ୍ରଭାବ ସାବ୍ୟସ୍ତ କରିବାର ସବୁଠାରୁ ବଡ଼ ସୁଯୋଗ। ସେଥିପାଇଁ ବିଜେପି ତାର ଟ୍ରମ୍ପ କାର୍ଡକୁ ପୁଣି ଥରେ ଖେଳିବାକୁ ଯାଉଛି।
ଯେଉଁ ମୋଦି ବ୍ରାଣ୍ଡ ପାଇଁ ୨୦୧୪ରେ ବିଜେପି ଦେଶରେ ଶାସନ କ୍ଷମତାକୁ ଆସିଥିଲା ଏବଂ ୨୦୨୪ରେ ଓଡିଶାରେ ପ୍ରଥମ ଥର ପାଇଁ ଏକାକୀ ଶାସନ କଳ ହାତେଇଥିଲା, ଏବେ ସେହି ବ୍ରାଣ୍ଡକୁ ନେଇ ପୁଣି ଥରେ ପଂଚାୟତ ଓ ପୌର ନିର୍ବାଚନ ହାତେଇବାକୁ ଯୋଜନା ଆରମ୍ଭ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଏବଂ ସର୍ବସାଧାରଣ ସେବାରେ ତାଙ୍କର ୨୫ ବର୍ଷ ପୂର୍ତ୍ତିକୁ ସେବା ସଂକଳ୍ପ ଅଭିଯାନ ଭାବେ ଏକ ମାସ ବ୍ୟାପୀ ପାଳନ କରୁଛି ସମଗ୍ର ଦେଶ। ତେବେ ରାଜ୍ୟରେ ମଧ୍ୟ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଲୋକଙ୍କ ପାଖରେ ପହଞ୍ଚିବାକୁ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇଛି।
ପଂଚାୟତ ପୌର ନିର୍ବାଚନ ପୂର୍ବରୁ ଏହି ଅଭିଯାନକୁ ବୁଥ୍ ସ୍ତରରୁ ନେଇ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି ଦଳ। ଏହି ମାଧ୍ୟମରେ ମୋଦିଙ୍କ ବାର୍ତ୍ତା ନେଇ ଲୋକଙ୍କ ଆସ୍ଥାଭାଜନ ହୋଇ ସେମାନଙ୍କ ସମସ୍ୟା ସମାଧାନ କରି ଦଳକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି ବିଜେପି।
