ପ୍ୟାକ୍ସ ଓ ଲ୍ୟାମ୍ପସ୍ ଅଧିକାରୀଙ୍କ ପାଇଁ ଆଇଟି ଦକ୍ଷତା ପ୍ରଶିକ୍ଷଣ ଆରମ୍ଭ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ବିଭିନ୍ନ ପ୍ୟାକ୍ସ ଓ ଲ୍ୟାମ୍ପସ୍ ଅଧିକାରୀମାନଙ୍କ ପାଇଁ OS-CIT ମାଧ୍ୟମରେ ସୂଚନା ପ୍ରଯୁକ୍ତି (ଆଇଟି) ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି (ଶୁକ୍ରବାର)ଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି।
ଲୋକସେବା ଭବନସ୍ଥିତ ସ୍ଟେଟ୍ କନଭେନସନ ସେଣ୍ଟରରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ୟାକ୍ସ ଓ ଲ୍ୟାମ୍ପସ୍ ଅଧିକାରୀମାନେ ନିଜ ନିଜ ଅଧିକୃତ ଶିକ୍ଷା କେନ୍ଦ୍ର (ALC)ରୁ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ।
ସମବାୟ ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (OKCL) ଦ୍ୱାରା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର ଗ୍ରାମ୍ୟ ଅଞ୍ଚଳରେ କାର୍ଯ୍ୟରତ ପ୍ୟାକ୍ସ ଓ ଲ୍ୟାମ୍ପସ୍ ଅଧିକାରୀମାନଙ୍କୁ ଡିଜିଟାଲ୍ ସାକ୍ଷରତା ଓ ଆଇଟି ଦକ୍ଷତା ପ୍ରଦାନ କରାଯିବ, ଯାହାଫଳରେ ସେମାନେ ସମବାୟ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିର ଉପଯୋଗ କରି ଅଧିକ ଦକ୍ଷତାର ସହ କାର୍ଯ୍ୟ କରିପାରିବେ।
ଏହି ମହତ୍ୱାକାଂକ୍ଷୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟର ମୋଟ ୨,୭୧୧ଟି ପ୍ୟାକ୍ସ/ଲ୍ୟାମ୍ପସ୍ରୁ ୫,୪୨୨ ଜଣ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରହିଛି। ପ୍ରତ୍ୟେକ ପ୍ୟାକ୍ସ/ଲ୍ୟାମ୍ପସ୍ରୁ ଦୁଇଜଣ ଲେଖାଏଁ ଅଧିକାରୀଙ୍କୁ ଏଥିରେ ସାମିଲ କରାଯାଉଛି। ପ୍ରଶିକ୍ଷଣ ପାଇଁ ସମସ୍ତ ନାମ ପଞ୍ଜୀକରଣ ପ୍ରକ୍ରିୟା ପୂର୍ବରୁ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଆଜିଠାରୁ ଏହାର ଔପଚାରିକ ଶୁଭାରମ୍ଭ ଘଟିଛି।
ରାଜ୍ୟବ୍ୟାପୀ ୫୪୦ଟି OKCL ଅଧିକୃତ ଶିକ୍ଷା କେନ୍ଦ୍ର (ALC) ମାଧ୍ୟମରେ ଏହି ପ୍ରଶିକ୍ଷଣ ଦିଆଯାଉଛି। ଏହି ବ୍ୟାପକ ନେଟୱାର୍କ ଯୋଗୁଁ ରାଜ୍ୟର ସୁଦୂରପ୍ରାନ୍ତ ଅଞ୍ଚଳରେ କାର୍ଯ୍ୟରତ ଅଧିକାରୀମାନେ ନିଜ ଅଞ୍ଚଳ ନିକଟସ୍ଥ ALCରୁ ସହଜରେ ପ୍ରଶିକ୍ଷଣ ଗ୍ରହଣ କରିପାରିବେ, ଯାହା ଦ୍ୱାରା ସେମାନଙ୍କୁ ଦୂରତା ଯିବାଆସିବାର ଅସୁବିଧାରୁ ମୁକ୍ତି ମିଳିପାରିବ।
ଏହି ଉଦ୍ଘାଟନୀ ସମାରୋହରେ କମିଶନର-ତଥା-ସଚିବ, ସମବାୟ ବିଭାଗ ରାଜେଶ ପ୍ରଭାକର ପାଟିଲ, ସମବାୟ ସମିତିର ନିବନ୍ଧକ ମନୀଷ ଅଗ୍ରୱାଲ, ସମବାୟ ସମିତିର ଅତିରିକ୍ତ ନିବନ୍ଧକ ଭକ୍ତବନ୍ଧୁ ସାହୁ ଓ ଓକେସିଏଲ୍ର ପରିଚାଳନା ନିର୍ଦ୍ଦେଶକ ଡ. ମନୋରଞ୍ଜନ ପୁଥାଲଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେମାନେ ସମସ୍ତେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ।
